Federico Gallego Revetria of NorthEast United FC kick the ball for goal during match 82 of the 7th season of the Hero Indian Super League between NorthEast United FC and FC Goa held at the Tilak Maidan Stadium, Goa, India on the 4th February 2021 Photo by Arjun Singh / Sportzpics for ISL
ଭାସ୍କୋ, ୫।୨-
ସ୍ଥାନୀୟ ତିଲକ ମଇଦାନରେ ଗୁରୁବାର ଅନୁଷ୍ଠିତ ନର୍ଥ ଇଷ୍ଟ ୟୁନାଇଟେଡ ଓ ଏଫ୍ସି ଗୋଆ ମ୍ୟାଚ ୨-୨ରେ ଡ୍ର ରହିଛି। ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଗୋଆ ୨ ଥର ଅଗ୍ରଣୀ ନେଇଥିଲେ ହେଁ ନର୍ଥ ଇଷ୍ଟ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା।
ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ଖେଳିଥିଲେ ହେଁ ୨୧ତମ ମିନିଟରେ ପ୍ରଥମେ ଗୋଲ ଦେଇ ଗୋଆ ଅଗ୍ରଣୀ ହାସଲ କରିଥିଲା। ଆଲବର୍ଟୋ ନୋଗୁଇରାଙ୍କଠାରୁ ପାଇଥିବା ପାସ୍କୁ ଗୋଲରେ ପରିଣତ କରିଥିଲେ ଆଲେକଜାଣ୍ଡର ଜେସୁରାଜ। ୪୦ତମ ମିନିଟରେ ଗୋଲ ପରିଶୋଧ ପାଇଁ ନର୍ଥ ଇଷ୍ଟ ପାଖରେ ସୁବର୍ଣ୍ଣ ସୁଯୋଗ ପହଞ୍ଚତ୍ଥିଲା। ନର୍ଥ ଇଷ୍ଟ ଫରଓ୍ବାର୍ଡ ଲୁଇସ ମଚାଡୋ ବକ୍ସ ଏରିଆ ମଧ୍ୟରେ ବଲ୍ ନେଇ ଆଗେଇ ଯାଉଥିବାବେଳେ ଗୋଆର ନୋଗୁଇରା ପଛପଟରୁ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହା ରେଫରିଙ୍କ ନଜରକୁ ଆସିବାରୁ ନର୍ଥ ଇଷ୍ଟକୁ ପେନାଲ୍ଟି ସୁଯୋଗ ଦିଆଯାଇଥିଲା। ୪୧ତମ ମିନିଟରେ ଏହାକୁ ଗୋଲରେ ପରିଣତ କରି ଫେଡେରିକୋ ଗାଲେଗୋ ମ୍ୟାଚକୁ ୧-୧ ସ୍ତରକୁ ନେଇ ଆସିଥିଲେ। ଦ୍ୱିତୀୟାର୍ଦ୍ଧରେ ଅଗ୍ରଣୀ ପାଇଁ ଉଭୟ ଦଳ ଆକ୍ରମଣକୁ ଜୋରଦାର କରିଥିଲେ। ୮୦ତମ ମିନିଟରେ ଅମରଜିତ ସିଂ ଗୋଲ ଦେଇ ପୁଣି ଗୋଆକୁ ଅଗ୍ରଣୀ କରାଇଥିଲେ। ମାତ୍ର ଦଳର ଏହି ଖୁସି ବେଶି ସମୟ ରହି ନ ଥିଲା। ୮୩ତମ ମିନିଟରେ ଫାଉଲ୍ ହେବାରୁ ନର୍ଥ ଇଷ୍ଟକୁ ଆଉ ଏକ ପେନାଲ୍ଟି ମିଳିଥିଲା। ଗାଲେଗୋ ଏହାକୁ ଗୋଲରେ ପରିଣତ କରିବାରେ କୌଣସି ଭୁଲ କରି ନ ଥିଲେ। ଫଳରେ ମ୍ୟାଚଟି ୨-୨ ଗୋଲରେ ଡ୍ର ରହିଥିଲା। ଗୋଆର ଜର୍ଜ ଓର୍ଟିଜ ପାସ୍ ଅଫ୍ ଦି ମ୍ୟାଚ ଏବଂ ଉରୁଗୁଏ ଖେଳାଳି ନର୍ଥ ଇଷ୍ଟର ଗାଲେଗୋ ହିରୋ ଅଫ୍ ଦି ମ୍ୟାଚ ପୁରସ୍କାର ପାଇଥିଲେ। ମ୍ୟାଚ ଡ୍ର ରହିଥିଲେ ହେଁ ଗୋଆ ଗୋଟିଏ ସ୍ଥାନ ଉପରକୁ ଉଠି ପଏଣ୍ଟ ଟେବୁଲର ତୃତୀୟରେ ପହଞ୍ଚତ୍ ଯାଇଛି। ଏହି ଦଳ ୧୫ ମ୍ୟାଚରୁ ୫ ବିଜୟ, ୭ ଡ୍ର ଓ ୩ ପରାଜୟ ସହ ୨୨ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ ନର୍ଥ ଇଷ୍ଟ ୧୫ ମ୍ୟାଚରୁ ସମାନ ସଂଖ୍ୟକ ବିଜୟ, ଡ୍ର ଓ ପରାଜୟ ପାଇଥିଲେ ହେଁ ୨୨ ପଏଣ୍ଟ ସହିତ ୫ମ ସ୍ଥାନରେ ଅପରିବର୍ତ୍ତିତ ରହିଛି। ୨୨ ପଏଣ୍ଟ ପ୍ରାପ୍ତ ଅନ୍ୟତମ ଦଳ ହାଇଦ୍ରାବାଦ ଏଫ୍ସି ୪ର୍ଥ ସ୍ଥାନକୁ ଖସିଛି। ମୁମ୍ବାଇ ସିଟି ଏଫ୍ସି ୩୩ ଓ ଏଟିକେ ମୋହନବାଗାନ ୨୭ ପଏଣ୍ଟ ସହ ଟେବୁଲର ପ୍ରଥମ ଦୁଇ ସ୍ଥାନ ଅଧିକାର କରିଛନ୍ତି।