ନୂଆପଡ଼ା,୧୮ା୭ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଜଟଗଡ ପଞ୍ଚାୟତ ସାହାଜଟ ଆଶ୍ରମ ବିଦ୍ୟାଳୟରେ ଗୁରୁବାର ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ଅଣ ଆଦିବାସୀ ଛାତ୍ର ବେକରେ ରଶି ଲଗାଇ ଆମତ୍ହତ୍ୟା କରିଛନ୍ତି। ମୃତକ ହେଲେ ଖଡିଆଳ ବ୍ଲକ ବଡମହେଶ୍ୱର ଗାଁର ଅଶ୍ୱିନୀ ବାଗ (୧୪)। ଏହି ଘଟଣାକୁ ନେଇ ଭୟଭୀତ ହୋଇପଡିଥିବା କେତେଜଣ ଅଭିଭାବକ ସେମାନଙ୍କ ପିଲାଙ୍କୁ ଘରକୁ ନେଇଯାଉଥିବା ଦେଖିବାକୁ ମିଳିଛି।
ସୂଚନା ମୁତାବକ ବୁଧବାର ରାତିରେ ଆଶ୍ରମର ସବୁ ଛାତ୍ରୀଛାତ୍ର ଖାଇ ହଷ୍ଟେଲରେ ଶୋଇଥିଲେ। ରାତି ପ୍ରାୟ ୧୦ଟା ସମୟରେ ଅଶ୍ୱିନୀ ବିଦ୍ୟାଳୟ ସମ୍ମୁଖରେ ଥିବା ଏକ ମହୁଲ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ହଷ୍ଟେଲର ଡମ୍ବରୁ ମାଝି ଏହା ଦେଖି ବିଦ୍ୟାଳୟର ସମସ୍ତ ଛାତ୍ର ଓ ଶିକ୍ଷକଙ୍କୁ ଜଣାଇଥିଲେ। ଖବର ପାଇ ଶିକ୍ଷକ ଓ ଛାତ୍ରମାନେ ଅଶ୍ୱିନୀଙ୍କୁ ଗଛରୁ ଉଦ୍ଧାର କରି ତରବୋଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତରବୋଡ ଫାଣ୍ଡି ଅଧିକାରୀ ଗୌରୀଶଙ୍କର ଦାସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ କିଭଳି ଜଣେ ଅଣ ଆଦିବାସୀ ଛାତ୍ର ଆଡ୍ମିଶନ ହୋଇ ହଷ୍ଟେଲରେ ରହି ପାଠ ପଢୁଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଛାତ୍ର ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଘଟଣା ପରେ ଅଭିଭାବକମାନେ ଭୟରେ ନିଜ ପିଲାଙ୍କୁ ଘରକୁ ନେଇ ଆସୁଛନ୍ତି। ଏହି ବିଦ୍ୟାଳୟରେ ୩୮୧ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ଖବର ଲେଖାହେବା ସୁଦ୍ଧା ୨ ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଘରକୁ ଯାଇଥିବା ଜଣାପଡିଛି। ଏତେସବୁ ଘଟଣା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିମ୍ବା ବିଭାଗୀୟ ଅଧିକାରୀ ସ୍କୁଲରେ ଉପସ୍ଥିତ ନାହାନ୍ତି। ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ, ଶିକ୍ଷକ ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଏ ନେଇ ଆଲୋଚନା ହେବ। ଆଲୋଚନାର ନିଷ୍କର୍ଷ ଅନୁଯାୟୀ ଅଭିଭାବକମାନେ ପିଲାଙ୍କୁ ବିଦ୍ୟାଳୟରେ ଛାଡିବେ କିମ୍ବା ଘରକୁ ନେଇଯିବେ ତାହା ଜଣାପଡିବ। ଏ ସଂକ୍ରାନ୍ତରେ ଜିଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇଙ୍କୁ ପଚାରିବାରୁ କୌଣସି ଉତ୍ତର ଦେଇ ନ ଥିଲେ।