ଭଞ୍ଜନଗର,୧୬/୧୦(ବାବୁଲା ପ୍ରଧାନ):ଜଳ ସମ୍ପଦ ବିଭାଗ ସତନ୍ତ୍ର ସଚିବ (ଜଳ ପ୍ରଭାରୀ) ମୁକୁଳ ବେରା ବୁଧବାର ଓ ଗୁରୁବାର ଦୁଇ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସି କ୍ଷୁଦ୍ର ଓ ବୃହତ ଏବଂ ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖିଥିଲେ। ଏହି ସମୟରେ ସଚିବ ଖରିଫରେ ଜଳର ସୁଷମ ବଣ୍ଟନ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଅଧିକରୁ ଅଧିକ ଜମିକୁ କିଭଳି ଜଳଭଣ୍ଡାର ପାଣି ପହଞ୍ଚି ପାରିବ ସେନେଇ ସମୀକ୍ଷା ମଧ୍ୟ କରିଥିଲେ। ଜଳବାୟୁ ପରିବର୍ତ୍ତନ ଯୋଗୁ ଖରିଫ ଧାନ ଫସଲ ବିଭିନ୍ନ ସମୟରେ ପ୍ରଭାବିତ ହେଉଛି। ତେଣୁ ଅଣ ଧାନ ଫସଲ ପ୍ରତି ଚାଷୀମାନେ ଦୃଷ୍ଟି ଦେବାକୁ ପଡିବ। ସରକାର ଅଣ ଧାନ ଫସଲ ପାଇଁ ବିଭିନ୍ନ ସୁବିଧା ସୁଯୋଗ ଚାଷୀଙ୍କୁ ଯୋଗାଇ ଦେଉଛନ୍ତି ବୋଲି ସଚିବ କହିଥିଲେ। ତେଣୁ ଏଥିପ୍ରତି ଦୃଷ୍ଟି ଦେବାପାଇଁ ସଚିବ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି।
ସଚିବ ବୁଧବାର ବେଲଗୁଣ୍ଠା ବ୍ଲକ ମାଧବରିଡ଼ା ଆନିକଟ ଏବଂ ଭଞ୍ଜନଗର ଜଳଭଣ୍ଡାର ବୁଲି ଦେଖିଥିଲେ। ଗୁରୁବାର ଜୟମଙ୍ଗଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସମେତ ଅନ୍ୟାନ୍ୟ ଅଞ୍ଚଳର କ୍ଷୁଦ୍ର ଓ ଉଠା ଜଳସେଚନ ପ୍ରକଳ୍ପ ବୁଲି ଦେଖିଥିଲେ । ଗୁରୁବାର ଭଞ୍ଜନଗର ଜଳସମ୍ପଦ ବିଭାଗ ଡାକ ବଙ୍ଗଳା ପରିସରରେ ସଚିବ ଯନ୍ତ୍ରୀ ମାନଙ୍କ ସହ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ଏହାପରେ ବ୍ରହ୍ମପୁର ଅଭିମୁଖେ ଯାଇଥିଲେ। ଏହି ସମୟରେ ସେ ବାଟରେ ବିଭିନ୍ନ ପ୍ରକଳ୍ପ ଅନୁଧ୍ୟାନ କରିଥିଲେ। ଶୁକ୍ରବାର ବ୍ରହ୍ମପୁର ଅଞ୍ଚଳର ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା କରିବା କାର୍ଯ୍ୟକ୍ରମ ଅଛି। ସଚିବଙ୍କ ଗସ୍ତ ସମୟରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ରାଜୀବ ପଣ୍ଡିତ, ଭଞ୍ଜନଗର ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ ପ୍ରଧାନ, ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର, ସହକାରୀ ଯନ୍ତ୍ରୀ ରଶ୍ମି ରଞ୍ଜନ ରଥ, ପ୍ରହଲ୍ଲାଦ ପଣ୍ଡା, କ୍ଷୁଦ୍ର ଜଳସେଚନ ବିଭାଗ ଏବଂ ଉଠା ଜଳସେଚନ ବିଭାଗର ଯନ୍ତ୍ରୀ
ପ୍ରମୁଖ ଉପସ୍ଥିତ ଥିଲେ।