ନଏଡ଼ା ସିଇଓ ବହିଷ୍କୃତ

ଲକ୍ଷ୍ନୌ,୨୦ା୧(ପି.ଟି.): ନଏଡ଼ା ସେକ୍ଟର ୧୫୦ସ୍ଥିତ ଏକ ନିର୍ମାଣ ସ୍ଥଳରେ ଜଳଭର୍ତ୍ତି ଗର୍ତ୍ତ ମଧ୍ୟକୁ କାର୍‌ ଖସି ୨୭ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ମୃତ୍ୟୁ ଘଟଣାରେ ନଏଡ଼ା ଅଥରିଟିର ସିଇଓ ଏମ୍‌. ଲୋକେଶଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରାଯାଇଛି। ଇଞ୍ଜିନିୟରଙ୍କ ମୃତ୍ୟୁକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଉତ୍ତରପ୍ରଦେଶ ସରକାର ସୋମବାର ଆଇଏଏସ୍‌ ଅଫିସର ଲୋକେଶଙ୍କ ବିରୋଧରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ପ୍ରତୀକ୍ଷା ତାଲିକାରେ ରଖିଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ରିଅଲ ଇଷ୍ଟେଟ୍‌ ଡେଭେଲପରମାନଙ୍କ ଅବହେଳାରୁ ସଫ୍ଟଓ୍ବେର ଇଞ୍ଜିନିୟର ଯୁବରାଜ ମେହେଟ୍ଟାଙ୍କ ମୃତ୍ୟୁ ଘଟିଲା ବୋଲି ତାଙ୍କ ପରିବାର ଏବଂ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଏହା ବିରୋଧରେ ସେମାନେ ବିକ୍ଷୋଭ ଶୋଭାଯାତ୍ରା କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ବିଚାରକୁ ନେଇ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଘଟଣାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନଏଡ଼ା ଅଥରିଟି ସିଇଓ ଲୋକେଶ ହେଉଛନ୍ତି ୨୦୦୩ ବ୍ୟାଚ୍‌ର ଆଇଏଏସ୍‌ ଅଫିସର। ସେ ନଏଡ଼ା ମେଟ୍ରୋ ରେଳ କର୍ପୋରେଶନ (ଏନ୍‌ଏମ୍‌ଆର୍‌ସି)ର ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।
ଯୁବରାଜଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିିଛି। ଏହା ବ୍ୟତୀତ ହୃଦ୍‌ଘାତ ମାମଲା ସମ୍ପର୍କରେ ମଧ୍ୟ ରିପୋର୍ଟରେ କୁହାଯାଇଛି। ଶୁକ୍ରବାର ରାତିରେ ଘନ କୁହୁଡ଼ି ମଧ୍ୟରେ ଯୁବରାଜ କାର୍‌ ଚଳାଇ ଘରକୁ ଫେରୁଥିବାବେଳେ ଜଳଭର୍ତ୍ତି ଖାତରେ ଖସିପଡ଼ିଥିଲେ। ସାହାଯ୍ୟ ପାଇଁ ସେ ବାରମ୍ବାର ଚିତ୍କାର କରିଥିଲେ ମଧ୍ୟ ତୁରନ୍ତ କୌଣସି ସହାୟତା ମିଳି ନ ଥିଲା। କାର୍‌ ଓଲଟି ପଡ଼ି ପାଣିରେ ଭାସୁଥିବାବେଳେ ଯୁବରାଜ କୌଣସି ପ୍ରକାରେ ସେଥିରୁ ବାହାରି ଆସି ବାପା ରାଜକୁମାରଙ୍କୁ ଫୋନ୍‌ କରି ଦୁର୍ଘଟଣା ସମ୍ପର୍କରେ ଜଣାଇଥିଲେ ଓ ସେ ମରିବାକୁ ଚାହାନ୍ତି ନାହିଁ ବୋଲି କହିଥିଲେ। ତାଙ୍କ ବାପା ତୁରନ୍ତ ୧୧୨କୁ ଡାଏଲ କରିବା ସହ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ତେବେ ଅନ୍ଧକାର, ଘନ କୁହୁଡ଼ି ଏବଂ ସ୍ବଳ୍ପ ଦୃଶ୍ୟମାନ୍ୟତା ଯୋଗୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଥିଲା। ପାଣି ବରଫ ଭଳି ଥଣ୍ଡା ଥିବାରୁ ପୋଲିସ ଓ ଅଗ୍ନିଶମ କର୍ମଚାରୀ ସେଥିରେ ପ୍ରବେଶ କରିପାରି ନ ଥିଲେ। ବେସ୍‌ମେଣ୍ଟର ନିର୍ମାଣାଧୀନ ସ୍ତମ୍ଭଗୁଡ଼ିକରୁ ମଧ୍ୟ ବିପଦ ଆଶଙ୍କା କରାଯାଇଥିଲା। ରାତି ୧ଟା ୪୫ ବେଳକୁ ଯୁବରାଜ ଓ ତାଙ୍କ କାର୍‌ ସମ୍ପୂର୍ଣ୍ଣ ବୁଡ଼ିଯାଇଥିଲା।

 

Dharitri – The Largest & Most Trusted Odia Daily

Share