ପାକ୍‌ ଆଣବିକ ପ୍ରକଳ୍ପରୁ ତେଜସ୍କ୍ରିୟ ବିକିରଣ ହୋଇନାହିଁ: ଆଇଏଇଏ

ନୂଆଦିଲ୍ଲୀ,୧୬ା୫: ନିକଟରେ ଭାରତ ସହ ହୋଇଥିବା ସାମରିକ ସଂଘର୍ଷ ବେଳେ ପାକିସ୍ତାନର କୌଣସି ଆଣବିକ ପ୍ରକଳ୍ପରୁ ତେଜସ୍କ୍ରିୟ ବିକିରଣ ହୋଇ ନ ଥିବା ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ) କହିଛି। ଅପରେଶନ ସିନ୍ଦୂର ବେଳେ ଭାରତୀୟ ସଶସ୍ତ୍ର ବଳ ପାକିସ୍ତାନର ଆଣବିକ ପ୍ରକଳ୍ପକୁ ମାଡ଼ କରିଥିବା ନେଇ ସୋସିଆଲ ମିଡିଆରେ ଦାବି କରାଯାଇଥିଲା। ଆଇଏଇଏ ପାଖରେ ଥିବା ତଥ୍ୟ ଅନୁଯାୟୀ ପାକ୍‌ର କୌଣସି ନ୍ୟୁକ୍ଲିୟର ଫାସିଲିଟିରୁ ତେଜସ୍କ୍ରିୟ ବିକିରଣ ହୋଇ ନ ଥିବା ଏହାର ମୁଖପାତ୍ର କହିଛନ୍ତି। ପାକିସ୍ତାନ ଅଣୁଅସ୍ତ୍ର ଗଚ୍ଛିତ ରଖିଥିବା କିରାନା ହିଲ୍ଡ ଉପରେ ଭାରତ ଆକ୍ରମଣ କରିଥିବା ଖବରକୁ ବାୟୁସେନାର ଡିଜିଏଓ ଏୟାର ମାର୍ଶାଲ ଏ.କେ. ଭାରତୀ ପୂର୍ବରୁ ଖଣ୍ଡନ କରିଥିଲେ। କିରାନା ହିଲ୍ସରେ ଯାହା ଥାଉନା କାହିଁକି, ଆମେ ସେଠାରେ ଆକ୍ରମଣ କରିନାହୁଁ ବୋଲି ଗତ ୧୨ ତାରିଖ ମିଡିଆ ବ୍ରିଫିଙ୍ଗ୍‌ରେ ଭାରତୀ କହିଥିଲେ। ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଭାରତୀୟ ମିଶାଇଲ୍‌ ମାଡ଼ରେ ସରଗୋଧା ଏୟାରବେସ୍‌ କ୍ଷତିଗ୍ରସ୍ତ ହୋଇଥିଲା। କିରାନା ହିଲ୍ସର ଭୂତଳ ଅଣୁଅସ୍ତ୍ର ଭଣ୍ଡାର ସହ ଏହି ଏୟାରବେସ୍‌ର ସଂଯୋଗ ଥିବା ଖବର ପ୍ରକାଶ ପାଇଥିଲା।

Share