ଓ୍ବାଶିଂଟନ, ୧୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ଦ୍ୱିତୀୟ ପାଳିରେ ଦେଶରେ ବେଆଇନ ଭାବେ ରହୁଥିବା ପ୍ରବାସୀଙ୍କୁ ନିର୍ବାସିତ କରିବାରେ ସକ୍ରିୟ ଅଛନ୍ତି। ତେବେ ଶନିବାର ଟ୍ରମ୍ପ୍ ନ୍ୟୁୟର୍କ ପୋଷ୍ଟକୁ ଏକ ସାକ୍ଷାତ୍କାର ଦେଇ ବ୍ରିଟେନ୍ସ୍ଥିତ ଓ୍ବେଲ୍ସ ରାଜପରିବାରର ପ୍ରିନ୍ସ ହ୍ୟାରିଙ୍କୁ ଆମେରିକାରୁ ନିର୍ବାସିତ କରାଯିବ ନାହିଁ ବୋଲି କହିଛନ୍ତି। ଭିଜା ବିବାଦକୁ ନେଇ ପ୍ରିନ୍ସ ହ୍ୟାରି ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବାବେଳେ ଟ୍ରମ୍ପ୍ଙ୍କର ଏହି ବୟାନ ସାମ୍ନାକୁ ଆସିଛି। ଟ୍ରମ୍ପ୍ କହିଛନ୍ତି, ପ୍ରିନ୍ସ ହ୍ୟାରିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ତାଙ୍କୁ ଆମେରିକାରୁ ନିର୍ବାସିତ କରିବାକୁ ସେ ଚାହୁଁନାହାନ୍ତି। ସ୍ତ୍ରୀ ମେଘାନ ମର୍କେଲଙ୍କ ସହ ତାଙ୍କର ବହୁ ସମସ୍ୟା ଲାଗିରହିଛି। ତେଣୁ ସେ ହ୍ୟାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ନାହିଁ ଏବଂ ତାଙ୍କୁ ଏକା ଛାଡ଼ିଦେବେ ବୋଲି ଟ୍ରମ୍ପ୍ କହିଛନ୍ତି। ଏହି ଅବସରରେ ସେ ଓ୍ବେଲ୍ସ ଯୁବରାଜ ଓ୍ବିଲିୟମଙ୍କର ପ୍ରଶଂସା କରିଛନ୍ତି। ପ୍ରକାଶ ଯେ, ଓ୍ବାଶିଂଟନ ଡିସିରେ ପ୍ରିନ୍ସ ହ୍ୟାରିଙ୍କ ଭିଜାକୁ ନେଇ ଆଇନଗତ ମାମଲା ଜାରି ରହିଛି। ପ୍ରିନ୍ସ ହ୍ୟାରି ଅତୀତରେ ବେଆଇନ ଡ୍ରଗ୍ସ ବ୍ୟବହାର ସମ୍ବନ୍ଧିତ ସୂଚନାକୁ ଲୁଚାଇଛନ୍ତି, ଯେଉଁଥିପାଇଁ ସେ ଆମେରିକାର ଭିଜା ପାଇବାକୁ ଅଯୋଗ୍ୟ ବୋଲି ହେରିଟେଜ୍ ଫାଉଣ୍ଟେଶନ ନାମକ ଏକ ସଂସ୍ଥା ପକ୍ଷରୁ ଅଭିଯୋଗ କରାଯାଇଛି। ହେରିଟେଜ୍ ଫାଉଣ୍ଡେଶନ ନିଜ ଅଭିଯୋଗରେ ପ୍ରିନ୍ସ ହ୍ୟାରିଙ୍କ ଆତ୍ମଜୀବନୀ ‘ସ୍ପେୟାର’ର ଉଲ୍ଲେଖ କରିଛି, ଯେଉଁଥିରେ ସେ କାନ୍ବିସ୍ ଓ କୋକେନ୍ ଭଳି ଡ୍ରଗ୍ସ ବ୍ୟବହାର କରୁଥିବାର ସ୍ବୀକାର କରିଛନ୍ତି।