ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ ସପ୍ତାହରେ ଦୁଇଟି ଘଟଣା ସାମ୍ନାକୁ ଆସିଛି। ପ୍ରଥମଟି ହେଲା କୋରାପୁଟ ଜିଲାପାଳ ୭୭ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜିଲାରେ ଆମିଷ ବିକ୍ରି ବନ୍ଦ କରିବା ସଂକ୍ରାନ୍ତରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ସେଥିରେ ନିର୍ଦ୍ଦେଶ ଦିଆଯାଇଥିଲା ଯେ ଜିଲାର ସମସ୍ତ ତହସିଲଦାର, ବିଡିଓ ଏବଂ ନିର୍ବାହୀ ଅଧିକାରୀ ନିଜ କାର୍ଯ୍ୟ କ୍ଷେତ୍ରାଞ୍ଚଳରେ ଏହାକୁ କଡ଼ାକଡ଼ି ଲାଗୁ କରାଇବେ। ହେଲେ ଗଣମାଧ୍ୟମ ଓ ବିଶେଷକରି ସୋସିଆଲ ମିଡିଆରେ ବିରୋଧ କରାଯାଇ ଚାପ ପଡ଼ିବା ପରେ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଜିଲାପାଳ ଖସିବାର ବାଟ ନ ପାଇ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିନେଇଥିଲେ। ଦ୍ୱିତୀୟ ଘଟଣାଟି ହେଲା ହାଓଡାରୁ କାମାକ୍ଷାକୁ ଚାଲୁଥିବା ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ର ଖାଦ୍ୟ ତାଲିକାରେ ଏବେ ଆମିଷକୁ ସାମିଲ କରାଯିବା ନେଇ ନିଷ୍ପତ୍ତି ନିଆଯିବା। ପ୍ରସଙ୍ଗର ଟିକେ ପଛକୁ ଗଲେ ବୁଝାପଡ଼େ ଯେ, ଜାନୁଆରୀ ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ମାଲ୍‌ଦାରୁ ହାଓଡା-ଗୁଆହାଟୀ (କାମାକ୍ଷା) ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ନିରାମିଷ ଖାଦ୍ୟ କେବଳ ପରଷା ଯିବ ବୋଲି ବ୍ୟବସ୍ଥା ଥିଲା। ହେଲେ ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ଏଭଳି ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା। ବଙ୍ଗାଳୀ ଲୋକଙ୍କ ଖାଦ୍ୟାଭ୍ୟାସ ଉପରେ ଜାଣିଶୁଣି ଆକ୍ରମଣ କରାଯାଉଛି ବୋଲି ଜୋର ପ୍ରତିବାଦ ମଧ୍ୟ ହେଲା। ଶେଷରେ ଅନନ୍ୟୋପାୟ ହୋଇ ରେଳ ମନ୍ତ୍ରଣାଳୟ ତା’ର ନିଷ୍ପତ୍ତି ବଦଳାଇଥିବା ଜଣାପଡ଼ିଛି। ଅର୍ଥାତ୍‌ ଏଣିକି ଏହି ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଖାଦ୍ୟ ତାଲିକାରେ ଆମିଷ ରହିବ ବୋଲି କୁହାଯାଇଛି।
ଏଥିରୁ ଜଣାପଡ଼ୁଛି, ଏବକାର କେନ୍ଦ୍ର ସରକାର ନାଗରିକଙ୍କ ଦୈନନ୍ଦିନ ଜୀବନଶୈଳୀକୁ ବଦଳାଇବାର ଉଦ୍ୟମ କରିଚାଲୁଛନ୍ତି। ସ୍ବୀକାର କରିବାକୁ ହେବ ଯେ, ହିନ୍ଦୀଭାଷୀ ଅଞ୍ଚଳଗୁଡ଼ିକରେ ଯଥା ଉତ୍ତରପ୍ରଦେଶ, ବିହାର, ହରିୟାଣା, ରାଜସ୍ଥାନ ଏପରିକି ଗୁଜରାଟ ଓ ମହାରାଷ୍ଟ୍ରରେ ସରକାର ମୁଣ୍ଡ ପୂରାଉଛନ୍ତି ଏବଂ ସେହିସବୁ ରାଜ୍ୟରେ ସଫଳତା ମଧ୍ୟ ପାଇପାରୁଛନ୍ତି। ତେବେ ଗୋଆ, ଉତ୍ତର-ପୂର୍ବାଞ୍ଚଳର ଅନେକ ରାଜ୍ୟରେ ଭାଜପା କ୍ଷମତାସୀନ ଥାଇ ମଧ୍ୟ ଖୋଲାରେ ଗୋମାଂସ ବିକ୍ରିକୁ ବନ୍ଦ କରିବାର ସତ୍‌ସାହସ କରିପାରିନାହିଁ। ସେହିଭଳି ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ସାଧାରଣ ଜୀବନଶୈଳୀରେ ଆଙ୍ଗୁଠି ଗେଞ୍ଜିବାର ଉଦ୍ୟମ ଏପର୍ଯ୍ୟନ୍ତ ସଫଳତା ପାଇପାରିନାହିଁ।
ଦେଖିବାକୁ ଗଲେ ନିରାମିଷ ଖାଉଥିବା ବ୍ୟକ୍ତି ସାତ୍ତ୍ୱିକ ଜୀବନଯାପନ କରିବାର ସମ୍ଭାବନା ଅଧିକ। କିନ୍ତୁ ମଣିଷ ଜାତି ମାଂସାଶୀ। ମଣିଷ ଦ୍ୱାରା ଚାଷ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କେବଳ ଫଳମୂଳ ଓ ମାଛମାଂସ ଖାଇ ମଣିଷଜାତି ବଞ୍ଚୁଥିଲା। ଚାଷ ପଦ୍ଧତି ଶିଖିବା ପାଇଁ ଅନେକ ହଜାର ବର୍ଷ ବିତିଯାଇଥିଲା। ଗୋଟେ ପଟେ ଆମିଷ ଖାଇବାକୁ ପ୍ରୋତ୍ସାହନ ଦେବା ଉଚିତ ନୁହେଁ। ଅନ୍ୟପଟେ ପ୍ରତ୍ୟେକ ନାଗରିକ ବ୍ୟକ୍ତିଗତ ସ୍ବାଧୀନତା ବଳରେ ଖାଇବା, ପିଇବା, ପୋଷାକ ପିନ୍ଧିବା, ଗମନାଗମନ ସହିତ ପାରିବାରିକ ଜୀବନଶୈଳୀରେ ସରକାରଙ୍କର କୌଣସି ପ୍ରକାରର କଟକଣା ବା ନିୟମାବଳୀ କେବେ ହେଲେ ଗ୍ରହଣୀୟ ହୋଇପାରିବ ନାହିଁ। ଏହାର ମୂଳ କାରଣ ହେଲା ଭାରତ ଏକ ବିରାଟ ଦେଶ। ୧୯୪୭ ପୂର୍ବରୁ ଏହା ଗୋଟିଏ ଦେଶ ନ ଥିଲା। ରାଜରାଜୁଡ଼ା ଓ ବିଦେଶୀ ଶାସନ ପରେ ଗଣତାନ୍ତ୍ରିକ ପଦ୍ଧତିରେ ଏହି ଦେଶର ପ୍ରଶାସନ ଯଦି ଚାଲୁଥାଏ, ତେବେ ପ୍ରଥମ ବିଷୟଟି ହେଉଛି ଏହା ଗୋଟିଏ ଦେଶ, ଗୋଟିଏ ଭାଷା, ଗୋଟିଏ ଜାତି, ଗୋଟିଏ ଧର୍ମ, ଗୋଟେ ପ୍ରକାର ଖାଦ୍ୟକୁ ସ୍ବୀକାର କରେ ନାହିଁ। ତେଣୁ ଏଭଳି କୌଣସି ଜଣେ ବ୍ୟକ୍ତି ବା ଦଳ ନାହିଁ, ଯିଏ ସମଗ୍ର ଦେଶକୁ ଗୋଟିଏ ଢାଞ୍ଚାରେ ଚଳାଇପାରିବ। ସେଭଳି ଉଦ୍ୟମ ଯଦି କୌଣସି ନେତା ବା ରାଜନୈତିକ ଦଳ କରନ୍ତି, ତାହା ହେଲେ ତାଙ୍କ ବିନାଶ ସୁନିଶ୍ଚିତ।

Dharitri – The Largest & Most Trusted Odia Daily