କଡ଼ାକଡ଼ି ହେବ ନୋ ହେଲ୍‌ମେଟ୍‌ ନୋ ପେଟ୍ରୋଲ ଯାଞ୍ଚ

୨୭ା୧୧ (ମକାରୁ ବେମାଲ):ନୂଆପଡ଼ା ମୁଖ୍ୟାଳୟ ସଭାଗୃହରେ ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଇତ, ଉପଜିଲାପାଳ ସୁର୍ମି ସୋରେନ, ସିଡିଏମ୍‌ଓ ଡା. ଧନେଶ୍ୱର ସେଠୀ, ଅତିରିକ୍ତ ଏସ୍‌ପି ରଣଜିତ ନାୟକ, ଅତିରିକ୍ତ ଜିଲା ଉନ୍ନୟନ ଅଧିକାରୀ କ୍ଷମାନିଧି ଭୋଇ, ଡେପୁଟି କଲେକ୍ଟର ଶେଖ ନସିମ, ଆଞ୍ଚଳିକ ପରିବହନ ଅଧିକାରୀ ଶର୍ମିଲା ମହାରଣା, ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଳା ପୂର୍ବ ବୈଠକର ବିବରଣୀ ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ହେଲ୍‌ମେଟ୍‌ ଚେକିଂ ଉପରେ ଗୁରୁତ୍ୱ ଦେବା ସହ ହେଲ୍‌ମେଟ୍‌ ନାହିଁ ତ ପେଟ୍ରୋଲ ନାହିଁ (ନୋ ହେଲ୍‌ମେଟ୍‌ ନୋ ପେଟ୍ରୋଲ) ଚେକିଂ କଡ଼ାକଡ଼ି କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାକୁ ସମସ୍ତ ବିଡିଓ, ତହସିଲଦାର ଓ ଆର୍‌ଟିଓ ତଦାରଖ କରିବେ। ନାବାଳକ ଓ ମଦ୍ୟପ ଗାଡ଼ିଚାଳକଙ୍କ ଉପରେ ବିଶେଷ ନଜର ରଖାଯିବ। ଆର୍‌ଟିଓ, ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବରେ ଗାଡ଼ି ଚେକିଂ କରିବେ। ସମୀକ୍ଷାରୁ ଜଣାପଡିଲା, ୨୦୨୫ ଅକ୍ଟୋବର ପର୍ଯ୍ୟନ୍ତ ୯୪ ଦୁର୍ଘଟଣାରେ ୧୧୯ ଜଣ ମୃତ୍ୟୁ ଘଟିଥିବାବେଳେ ୬୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଞ୍ଚଳିକ ପରିବହନ ଅଧିକାରୀ ଶର୍ମିଲା ମହାରଣା ଶୂନ୍ୟ ମୃତାହତ ପକ୍ଷ ପାଳନ ଅବସରରେ ବିଭାଗ ଦ୍ୱାରା ନିଆଯାଇଥିବା ସଚେତନତା କାର୍ଯ୍ୟକ୍ରମର ସୂଚନା ଦେଇଥିଲେ। ଏହାପରେ ଜିଲାର ପରିବହନ କ୍ଷେତ୍ର ଏବଂ ବସ୍‌ଷ୍ଟାଣ୍ଡର ସୁଧାର ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ ହୋଇଥିଲା। ବୈଠକରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଏମ୍‌ଭିଆଇ ଉପେନ୍ଦ୍ର କୁମାର ପୁସିକା, ଟିଏସ୍‌ଆଇ ପ୍ରଜ୍ଞା ପାରମିତା, ଏନ୍‌ଏଚ୍‌ ଯନ୍ତ୍ରୀ ସପନ କୁମାର ବେହେରା, ନୂଆପଡ଼ା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀନିବାସ ମିର୍ଦ୍ଧା, ଖରିଆର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା, ଖରିଆର ରୋଡ୍‌ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କମଳାସନ ରଥ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Share