ନୂଆପଡ଼ା,୨୨ା୫ (ମକାରୁ ବେମାଲ):ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ମଙ୍ଗଳବାର ୬ଷ୍ଠତମ ଜିଲା ପରିଷଦର ୮ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ଡଲି ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କଲାହାଣ୍ଡି ଏମ୍ପି ମାଳବିକା ଦେବୀ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲାପାଳ ମଧୁସୂଦନ ଦାଶ, ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ମହାଦେବ ବୁଡାଇକ, ଜିଲା ପରିଷଦ ଉପାଧ୍ୟକ୍ଷ ଦୀପିକା ଦୀପ, ସମସ୍ତ ଜିଲା ପରିଷଦ ସଦସ୍ୟ ଓ ବ୍ଲକ୍ ଅଧ୍ୟକ୍ଷ ଉପସ୍ଥିତ ଥିଲେ। ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ମାଝି ସମସ୍ତ ଜନ ପ୍ରତିନିଧି ଓ ଅଧିକାରୀଙ୍କୁ ସମ୍ବୋଧନକରି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବିଗତ ବୈଠକରେ ସଦସ୍ୟମାନେ ଉପସ୍ଥାପନ କରିଥିବା ସମସ୍ତ ଅଭିଯୋଗ ଉପରେ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେ ଉପରେ ଅଧିକାରୀମାନେ ନିଜ ମତ ରଖିଥିଲେ। ଅସମ୍ପୂର୍ଣ୍ଣ ରହିଥିବା ସମସ୍ତ କାର୍ଯ୍ୟ ଶୀଘ୍ର ସାରିବା ଉପରେ ଏମ୍ପି ଓ ବିଧାୟକ ଗୁରୁତ୍ୱାରୋପ କରିଥିଲେ। ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ବିଶେଷକରି କୃଷି ଓ ଉଦ୍ୟାନ କୃଷି ଯୋଜନାରେ ହିତାଧିକାରୀ ଚୟନ ସମୟରେ ଜନ ପ୍ରତିନିଧିଙ୍କୁ ସାମିଲ କରିବା ଉପରେ ଜିଲା ପରିଷଦ ସଦସ୍ୟ ଦାବି କରିଥିଲେ। ଏଥର ମୁଖ୍ୟମନ୍ତ୍ରୀ ମତ୍ସ୍ୟ ପୋଖରୀ ଯୋଜନା ୧୦୮ ହେକ୍ଟର ଥିବାରୁ ଠିକ୍ ସମୟରେ କାମ ସାରିବା ପାଇଁ ଜିଲାପାଳ କହିଥିଲେ। ଜିଲାରେ ବିନା ସୂଚନା ଫଳକରେ କୌଣସି ଉନ୍ନୟନମୂଳକ କାମ ହେବ ନାହିଁ ବୋଲି ବିଧାୟକ ପାଣିଗ୍ରାହୀ କହିଥିଲେ। କଳାହାଣ୍ଡି ଏମ୍ପି ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଲୟରେ ପାନୀୟ ଜଳ, ବିଦ୍ୟୁତ୍ ଓ ସ୍ବଚ୍ଛ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ କହିଥିଲେ। ଏହାସହ ପ୍ରତି ଗାଁ ଓ ବ୍ୟକ୍ତିଙ୍କ ପାଖରେ ସ୍ବାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍, ପରିମଳ ଭଳି ଅତ୍ୟାବଶ୍ୟକ ସେବା ଯୋଗାଇଦେବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସେ ଆହ୍ବାନ କରିଥିଲେ। ବୈଠକରେ ସମସ୍ତ ଜିଲା ଓ ବ୍ଲକ୍ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।