ମିଲ୍‌ରେ କଟ୍‌ନିଛଟନି, ଜିଲାପାଳଙ୍କୁ ଫେରାଦ

ବରଗଡ଼,୧୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ୨ଦିନ ପରେ ମାସେ ପୂରିବ। କିନ୍ତୁ ଜିଲାର ମଣ୍ଡି ଗୁଡ଼ିକରେ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ହୋଇପଡ଼ିଛି। କେତେକ ମିଲର୍ସଙ୍କ ସ୍ବେଚ୍ଛାଚାରିତା ଏବଂ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି। ସେହିପରି କଟନୀଛଟନୀ ପ୍ରକ୍ରିୟା ମଧ୍ୟ ଜୋର୍‌ ଧରିଛି। ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ୪୦କି.ଗ୍ରା ପକେଟ୍‌ ପ୍ରତି ୧କି.ଗ୍ରା ଅର୍ଥାତ୍‌ କୁଇଣ୍ଟାଲ ପ୍ରତି ଅଢ଼େଇ କି.ଗ୍ରା ଧାନ କଟନୀଛଟନୀ ହେଉଥିବାବେଳେ ଏବେ ବିଭିନ୍ନ ସ୍ଥାନରେ ପକେଟ୍‌ ପ୍ରତି ୫ରୁ ୭କି.ଗ୍ରା ଯାଏ ଧାନ କଟନୀଛଟନୀ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସେହିପରି ମଣ୍ଡିରେ ଧାନ ଗୁଣମାନ ଠିକ୍‌ ଥିବାବେଳେ ତାହା ରାଇସ୍‌ ମିଲ୍‌କୁ ପହଞ୍ଚିବା ପରେ ମିଲର୍ସମାନେ ପୁଣିଥରେ ଗୁଣମାନ ପରୀକ୍ଷା କରୁଛନ୍ତି ଏବଂ ନିଜ ମନଇଚ୍ଛା କଟନୀଛଟନୀ କରୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ବୁଧବାର ଜିଲାର ଅତାବିରା ବ୍ଲକ ଟୋପ୍‌ ଏବଂ ସିଂହପାଲି ଅଞ୍ଚଳର ଚାଷୀ ପ୍ରତିନିଧି ଜିଲାପାଳ ଆଦିତ୍ୟ ଗୋୟଲ ଏବଂ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ(ସିଏସଓ) ବିଭୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଫେରାଦ ହୋଇ ସ୍ମାରକପତ୍ର ପ୍ରଦାନ କରିଥିଲେ। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ସ୍ମାରକପତ୍ର ଗ୍ରହଣ କରିଥିଲେ।
ସ୍ମାରକପତ୍ରରେ ଉଲ୍ଳେଖ ରହିଛି, ଉକ୍ତ ଅଞ୍ଚଳର ଚାଷୀମାନେ କଟନୀଛଟନୀକୁ ବିରୋଧ କଲେ କେତେକ ମିଲର୍ସ ଧାନ ଫେରାଇ ନେବାକୁ କହୁଛନ୍ତି। ଏପରିକି ସେ ନେଇ ଯାହାପାଖରେ ଅଭିଯୋଗ କରିବାର ଅଛି, ସେଠାକୁ ଯାଇ ଅଭିଯୋଗ କର ବୋଲି ଧମକ୍‌ ମଧ୍ୟ ଦେଉଥିବା ଅଭିଯୋଗ ହୋଇଛି। କଟନୀଛଟନୀ ସହିତ ଧାନ ଉଠାଣରେ ମିଲର୍ସମାନେ ସେଭଳି ମନମାନୀ ଚଲାଉଥିବାରୁ ଚାଷୀମାନେ ଶୋଷିତ ହେଉଛନ୍ତି। ଏ ନେଇ ସ୍ଥାନୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ କିଛି ସୁଫଳ ମିଳୁ ନଥିବା ଚାଷୀ ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ମୌସୁମୀ ପାଖେଇ ଆସୁଥିବା ଯୋଗୁ ଚାଷୀମାନେ ଚିନ୍ତିତ ହୋଇ ପଡ଼ିଛନ୍ତି। ଏଭଳି ସ୍ଥିତିରେ ବିନା କଟନୀଛଟନୀରେ ମଣ୍ଡି ଗୁଡ଼ିକରେ ଧାନ ଉଠାଣକୁ ତ୍ୱରାନ୍ବିତ କରାଯିବାକୁ ଚାଷୀମାନେ ଦାବି କରିଛନ୍ତି। କେଦାରେଶ୍ୱର ମିଶ୍ର, ଏମ୍‌. ଗୋପାଳକ୍ରିଷ୍ଣା, ଗଜାନନ ରଣା, ଘନଶ୍ୟାମ କୁଦେଇ ପ୍ରମୁଖ ଚାଷୀଙ୍କ ସ୍ବାକ୍ଷର ସ୍ମାରକପତ୍ରରେ ରହିଛି।

Share