ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ! ବିରୋଧୀ ହେଉଛନ୍ତି ସଜବାଜ

ନୂଆଦିଲ୍ଲୀ,୯।୨: ବିରୋଧୀ ଦଳ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ସୂତ୍ରରୁ ଜଣାପଡିଛି ଯେ, ବିରୋଧୀ ଦଳ ନେତାମାନେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ସେମାନେ କହିଛନ୍ତି ଯେ, ଯଦି ବିରୋଧୀ ଦଳକୁ ସଂସଦରେ କହିବାକୁ ଅନୁମତି ଦିଆଯାଏ ନାହିଁ, ତେବେ ସେମାନେ ଅନାସ୍ଥା ପ୍ରସ୍ତାବ ଆଣିବେ।

ବିରୋଧୀ ଦଳ କହିଛନ୍ତି, ରାହୁଲ ଗାନ୍ଧୀ ଲୋକ ସଭାରେ ଏମ୍‌ପିଙ୍କ ନିଲମ୍ବନ ଏବଂ ମହିଳା ଏମ୍‌ପଙ୍କ ବିରୋଧରେ ଅଭିଯୋଗ ଉପରେ କହିବାକୁ ଚାହୁଁଥିଲେ। ରାହୁଲ କହିବା ପାଇଁ ଅନୁମତି ମାଗୁଥିଲେ। ସୋମବାର ଲୋକ ସଭାରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ପରେ, ସଂସଦକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ସୂତ୍ର ଅନୁସାରେ, ପ୍ରାୟ ସମସ୍ତ ବିରୋଧୀ ଦଳ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଉପରେ ସହମତ ଏବଂ ଖୁବ ଶୀଘ୍ର ଲୋକ ସଭା ସଚିବଙ୍କୁ ନୋଟିସ ଦାଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବଜେଟ ଅଧିବେଶନରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ତୀବ୍ର ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି। ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁ ଲୋକ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିଲା ନାହିଁ, ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ବିନା ଧନ୍ୟବାଦ ପ୍ରସ୍ତାବ ଗୃହୀତ ହେବାକୁ ପଡିଥିଲା।

ବିରୋଧୀ ଏମ୍‌ପିମାନେ ମଧ୍ୟ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କଂଗ୍ରେସ ଏମ୍‌ପି ଇମ୍ରାନ ପ୍ରତାପଗଡ଼ି କାର୍ଯ୍ୟାନୁଷ୍ଠାନ ଦାବି କରି କହିଛନ୍ତ, ମୁଖ୍ୟମନ୍ତ୍ରୀ ଭାବରେ ହିମନ୍ତ ବିଶ୍ୱ ଶର୍ମା ଏପରି ଭିଡିଓ କରନ୍ତି, ଯାହାକୁ ଆସାମ ଭାଜପା ପୋଷ୍ଟ କରେ, ଏବଂ ସେଗୁଡ଼ିକୁ ଡିଲିଟ କରିଦିଏ। ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ।

ବିରୋଧୀ ଦଳ ହିମନ୍ତ ବିଶ୍ୱ ଶର୍ମାଙ୍କ ଏକ ଭିଡିଓକୁ ନେଇ ତୀବ୍ର ବିରୋଧ କରିଛି। ଆସାମ ଭାଜପା ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଜାରି କରାଯାଇଥିବା ଭିଡିଓରେ, ମୁଖ୍ୟମନ୍ତ୍ରୀ ଏକ ଟୋପି ପିନ୍ଧି ଦୁଇଜଣଙ୍କୁ ଆକ୍ରମଣ କରୁଥିବା ଦେଖାଯାଇଛି। ଯଦିଓ ଭିଡିଓଟି କିଛି ସମୟ ପରେ ଡିଲିଟ କରିଦିଆଯାଇଥିଲା, ତଥାପି ବିରୋଧୀ ଦଳ ଏହାକୁ ନେଇ ଭାଜପା ଉପରେ ଆକ୍ରମଣ ଜାରି ରଖିଛନ୍ତି।

 

Dharitri – Odisha’s No.1 Odia Daily

 

 

Share