ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବର ଆଜି ଯାଞ୍ଚ

ଯାଜପୁରରୋଡ୍‌,୧୧ା୩(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବର ଯାଞ୍ଚ ପାଇଁ ନିର୍ଦ୍ଦେଶ ହୋଇଛି। ଯାଜପୁର ଜିଲାପାଳ ପି. ଅନ୍ବେଷା ରେଡ୍ଡୀ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରି କାଉନସିଲରମାନଙ୍କ ଦସ୍ତଖତ ଯାଞ୍ଚ ପାଇଁ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସପନ କୁମାର ନନ୍ଦଙ୍କୁ ପତ୍ରରେ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଜିଲାପାଳ ନନ୍ଦ ଏ ନେଇ କାଉନସିଲରଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି। ଅନାସ୍ଥାରେ ଦସ୍ତଖତ କରିଥିବା ୧୧ କାଉନସିଲରଙ୍କୁ ମଙ୍ଗଳବାର ମଧ୍ୟାହ୍ନ ୧ଟା ସମୟରେ ଅତିରିକ୍ତ ଜିଲାପାଳଙ୍କ ପ୍ରକୋଷ୍ଠରେ ଉପସ୍ଥିତ ରହି ସେମାନଙ୍କ ଦସ୍ତଖତ ଯାଞ୍ଚ ପାଇଁ ସହଯୋଗ କରିବାକୁ ଚିଠିରେ ଉଲ୍ଲେଖ ରହିଛି।