ଭବାନୀପାଟଣା,୬।୧୦(ଉତ୍ତମ କୁମାର ଦାଶ):କେନାଲ ଉପରେ ପୋଲ ନ ଥିବାରୁ ଦୁଇ ପାର୍ଶ୍ୱରେ ଥିବା ଗ୍ରାମବାସୀ ଏବେ ବିପଦସଂକୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ କେନାଲ ପାରି ହେଉଛନ୍ତି। କେନାଲରେ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ରାଜନେତା, ବିଭାଗୀୟ ଅଧିକାରୀ ଓ ପ୍ରଶାସନଙ୍କୁ ସ୍ଥାନୀୟ ଗ୍ରାମବାସୀ ଗୁହାରୀ କରି ଆସୁଥିଲେ ସୁଦ୍ଧା ସେମାନଙ୍କ ଏହି ସମସ୍ୟା ପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ଫଳରେ ଖରା ସମୟରେ କେନାଲ ଉପରେ ସ୍ଥାନୀୟ ଗ୍ରାମବାସୀ ଏକ କାଠପୋଲ ନିର୍ମାଣ କରିଥିଲେ। ହେଲେ ଏବେ ବର୍ଷା ସମୟରେ କେନାଲରେ ଅଧିକ ପାଣି ଆସୁଥିବାରୁ ତାହା ଭାଙ୍ଗି ଯାଇଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବକ୍ସିତୁଲସୀପାଲି ପଞ୍ଚାୟତ ରଣୁପର ଗ୍ରାମରେ। ଏହି ଗ୍ରାମକୁ ଲାଗିକି ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଯାଇଛି। ଏହି କେନାଲ ଅନେକ ବର୍ଷ ତଳେ ନିର୍ମାଣ ହୋଇଥିବା ବେଳେ ଗୋଟିଏ ପଟରେ ରଣପୁରର ଯୋଜନାପଡା ରହିଥିବାବେଳେ ଅନ୍ୟପଟେ ଝାଙ୍କରପଡା ରହିଛି। ଯୋଜନାପଡାରେ ପ୍ରାୟ ୫ଶହ ଲୋକ ବାସ କରୁଥିବାବେଳେ କେନାଲ ଆରପଟରେ ସେମାନଙ୍କ ୨ଶହରୁ ଊର୍ଦ୍ଧ୍ୱ ଏକର ଚାଷ ଜମି ରହିଛି। ସେହିପରି କେନାଲ ଆରପଟରେ ଥିବା ଝାଙ୍କରପଡାରେ ୨୫ଟି ଆଦିବାସୀ ପରିବାର ରହୁଥିବାବେଳେ ସେମାନେ ମଧ୍ୟ ପଡାକୁ ମୁଖ୍ୟ କେନାଲ ଡେଇଁ ବିଭିନ୍ନ କାମ ପାଇଁ ଆସିଥାନ୍ତି। ଯୋଜନାପଡାବାସୀଙ୍କୁ ଚାଷ ପାଇଁ ମୁଖ୍ୟ କେନାଲ ଡେଇଁ ଯିବାକୁ ପଡିଥାଏ। ଖରାଦିନ ପଡାବାସୀଙ୍କୁ କୌଣସି ସମସ୍ୟା ହେଉ ନ ଥିବାବେଳେ ବର୍ଷା ଋତୁରେ ବିପଦସଙ୍କୁଳ ଭାବେ କେନାଲ ପାର ହୋଇ ଚାଷ ଜମିକୁ ଯାଇଥାନ୍ତି ପଡାବାସୀ। ଝାଙ୍କର ପଡାବାସୀ କୌଣସି ରୋଗୀ ହେଉ କିମ୍ବା ଗର୍ଭବତୀ କି ପ୍ରସୂତୀଙ୍କୁ ଖଟିଆରେ ବୋହି କେନାଲ ପାର କରି ମୁଖ୍ୟ ରାସ୍ତାକୁ ଆଣିଥାନ୍ତି। ଏଠାକାର ଗରିବ ଲୋକମାନେ ସ୍ଥାନୀୟ ଘନା ଜଙ୍ଗଲ ଉପରେ ମଧ୍ୟ ନିର୍ଭର କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ତେବେ ବର୍ଷା ସମୟରେ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବିଶେଷକରି ଏଠାରେ ପଢୁଥିବା ସ୍କୁଲ ଓ ଅଙ୍ଗନୱାଡି ଛାତ୍ରୀଛାତ୍ର, ରୋଗୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବର୍ତ୍ତମାନ କେତେକ ଲୋକ ବିପଦସଙ୍କୁଳ ଭାବେ କେନାଲ ପାଣିରେ ପାର ହୋଇ ଅନ୍ୟ ପଟକୁ ଯାଉଥିବାବେଳେ ଆଉ କିଛି ଲୋକ କେନାଲ ଉପରେ କରାଯାଇଥିବା ସିଡ଼ି (ଡ୍ରେନେଜ ପାଇଁ ବ୍ୟବହୃତ ହେଉଥିବା) ତଳେ ପାର ହୋଇ ଆରପଟକୁ ଯାଉଛନ୍ତି। ଏ ନେଇ ବିଭାଗୀୟ ଯନ୍ତ୍ରୀ ଶିଶିର କୁମାର ପଣ୍ଡାଙ୍କୁ ପଚାରିବାରୁ ସେଠାରେ ଏକ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଯାଇଛି ବୋଲି କହିଥିଲେ।