Categories: ଅନୁଗୋଳ

କଣ୍ଟ ପୂରିଲା, ନିଯୁକ୍ତି ନୋହିଲା

ଅନୁଗୋଳ ଅଫିସ, ୮।୧୧: କଣ୍ଟ ପୂରିଲା। ହେଲେ ମିଳିଲାନି ନିଯୁକ୍ତି। ଏହାର ପ୍ରତିବାଦରେ ନବରତ୍ନ କମ୍ପାନୀ ନାଲ୍‌କୋ ସ୍ପୋନ୍‌ସର୍ଡ ଆଇଟିଆଇ (ଏଲ୍‌ଏପି) କ୍ଷତିଗ୍ରସ୍ତ ପ୍ରଜାସଂଘର ୧୯୮ ସଦସ୍ୟ ଏବଂ ସେମାନଙ୍କ ପରିବାର ଗଣତାନ୍ତ୍ରିକ ପଦ୍ଧତିରେ ଅର୍ଥନୈତିକ ଅବରୋଧ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୯ ତାରିଖରୁ ଅର୍ଥନୈତିକ ଅବରୋଧ ଆରମ୍ଭ ହେବ। ରବିବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ସଂକ୍ରାନ୍ତରେ ସଂଘର ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ସାମଲ ସୂଚନା ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ନାଲ୍‌କୋ ଦ୍ୱାରା ୩ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ୩୯ ଗ୍ରାମର ନାଲ୍‌କୋ ସ୍ପୋନ୍‌ସର୍ଡ ଆଇଟିଆଇର ୧୯୮ଜଣ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦିଆଯିବା ନେଇ ଆଲୋଚନା ହୋଇଛି। ହେଲେ ପ୍ରତିଶ୍ରୁତି ପାଳନ କରାଯାଇନାହିଁ। ଏହାର ପ୍ରତିବାଦରେ ସେମାନେ ୨୦୧୮ ଫେବୃୟାରୀରେ ପାଖାପାଖି ମାସେ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଗଣଧାରଣା ଦେଇଥିଲେ। ୯ମ ଆର୍‌ପିଏଡିସି ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା। ଢେଙ୍କାନାଳ ଏବଂ ସମ୍ବଲପୁର ଏମ୍‌ପିଙ୍କ ସମେତ ସମସ୍ତ ବିଧାୟକଙ୍କ ଉପସ୍ଥିତିରେ ୩ ମାସ ମଧ୍ୟରେ ସମସ୍ୟାର ସମାଧାନ କରାଯିବାକୁ ପ୍ରତିଶ୍ରୁତି ମିଳିଥିଲା। ହେଲେ ନାଲ୍‌କୋ କର୍ତ୍ତୃପକ୍ଷ ଏଥିରେ ସହମତ ହେଲେନାହିଁ। ଏ ନେଇ ଗତ ଅକ୍ଟୋବର ୫ରେ ସିପିପି ମହାପ୍ରନ୍ଧକ ଏବଂ ଅକ୍ଟୋବର ୧୦ରେ ସ୍ମେଲଟର ମହାପ୍ରବନ୍ଧକଙ୍କୁ ୧୦ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ସମସ୍ୟାର ସମାଧାନ ପାଇଁ ୧୫ ଦିନ ମହଲତ ମଗାଯାଇଥିଲା। ସମୟ ଅବଧି ଶେଷ ହୋଇଯାଇଥିବାବେଳେ ଏବେ ଆନ୍ଦୋଳନ ଏକମାତ୍ର ବିକଳ୍ପ ବୋଲି ପ୍ରଜାସଂଘ ପକ୍ଷରୁ କୁହାଯାଇଛି। ତଦନୁଯାୟୀ, ଆସନ୍ତା ୯ରୁ ସମ୍ପୃକ୍ତ ୧୯୮ ପ୍ରଜା ଏବଂ ସେମାନଙ୍କ ପରିବାର କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ପୂର୍ବକ ଗୋବରା ଢିପସାହି, ଗୋତମରା ମଠ ନିକଟରେ ରେଳରୋକୋ କରିବେ ବୋଲି ଚେତାବନୀ ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ସଂଘ ସଭାପତି ଦିବ୍ୟରଞ୍ଜନ ଦାସ, ଆରତୀ ନାୟକ, ପ୍ରଣବନ୍ଧୁ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।