ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ ତାଙ୍କ ମା’ଙ୍କ ମୃତଦେହକୁ ଏକ ଷ୍ଟ୍ରେଚରରେ ଟାଣି ପ୍ରାୟ ଦୁଇ କିଲୋମିଟର ରାସ୍ତା ଅତିକ୍ରମ କରି ଘରକୁ ନେଇଥିଲେ।
ଘଟଣାଟି ନାୱାଦାର ଆକବରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC)ରେ ଘଟିଛି। ଗତ ରବିବାର ରାତିରେ ଅଜୟ ସାଓଙ୍କ ମା’ ଅସୁସ୍ଥ ହେବାରୁ ତାଙ୍କୁ ସେଠାକୁ ନିଆଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଜୟ ଶେଷ ଥର ପାଇଁ ମା’ଙ୍କୁ ଘରକୁ ନେବା ପାଇଁ ଆମ୍ବୁଲାନ୍ସ ମାଗିବାରୁ କର୍ମଚାରୀମାନେ ମନା କରିଦେଇଥିଲେ। ଜଣେ କର୍ମଚାରୀ କୁଆଡ଼େ କହିଥିଲେ ଯେ ମୃତଦେହ ନେବା ପାଇଁ ହସ୍ପିଟାଲରେ ଆମ୍ବୁଲାନ୍ସ ସୁବିଧା ନାହିଁ।
ଅଜୟଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ ବିଳମ୍ବିତ ରାତି ହୋଇଥିବାରୁ ମୃତଦେହ ପାଇଁ ଅନ୍ୟ ପରିବହନ ବ୍ୟବସ୍ଥା କରିବା କଷ୍ଟକର ହେବ ବୋଲି ସେମାନେ ନେହୁରା ହୋଇଥିଲେ ମଧ୍ୟ ସେମାନଙ୍କୁ ଆମ୍ବୁଲାନ୍ସ ଦିଆଗଲା ନାହିଁ। ସେମାନେ କହିଛନ୍ତି ଯେ ହସ୍ପିଟାଲ ପରିସରରେ ଆମ୍ବୁଲାନ୍ସ ଗାଡ଼ି ପାର୍କିଂ ହୋଇଥିବା ସତ୍ତ୍ୱେ କର୍ମଚାରୀମାନେ ଏହା ନିୟମ ବିରୁଦ୍ଧ ବୋଲି କହିବା ସହ ଦେବାକୁ ମନା କରିଦେଇଥିଲେ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ପରିବାରକୁ ଷ୍ଟ୍ରେଚରଟି ମଧ୍ୟ ସହଜରେ ମିଳି ନ ଥିଲା। ଷ୍ଟ୍ରେଚର ଫେରସ୍ତ ନହେବା ପର୍ଯ୍ୟନ୍ତ ଗ୍ୟାରେଣ୍ଟର ଭାବରେ ଅଜୟଙ୍କ ପତ୍ନୀ ଏବଂ ପୁଅଙ୍କୁ ସେଠାରେ ରହିବାକୁ ପଡ଼ିଥିଲା।
ଅଜୟ ସାଓଙ୍କ ପତ୍ନୀ କହିଛନ୍ତି, “ମୁଁ ମାନବିକତା ଦୃଷ୍ଟିରୁ ଷ୍ଟ୍ରେଚରଟି ଦେବା ପାଇଁ କର୍ମଚାରୀଙ୍କୁ ଅନୁରୋଧ କରିଥିଲି। ଷ୍ଟ୍ରେଚର ଫେରାଇ ନ ଦେବା ପର୍ଯ୍ୟନ୍ତ ମୁଁ ଏବଂ ମୋ ପୁଅ ରହିବୁ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଷ୍ଟ୍ରେଚର ନେବାକୁ ଅନୁମତି ଦେଇଥିଲେ।”
ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନଥିବାବେଳେ, ପରିବାର ଲୋକେ ପ୍ରଶାସନ ନିକଟରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।