Categories: Home Leftଖେଳ

ନୀତିଶ ରେଡ୍ଡି ଇଂଲଣ୍ଡ ଗସ୍ତ ପାଇଁ SRH କ୍ୟାପଟେନ୍‌ ପାଟ୍ କମିନ୍ସଙ୍କର ନେଇଥିଲେ ପରାମର୍ଶ, ଏବେ ସମସ୍ତଙ୍କୁ ଚମକାଇଲେ

ନୂଆଦିଲ୍ଲୀ,୧୧ା୭: ଇଂଲଣ୍ଡର ପ୍ରଥମ ଟେଷ୍ଟ ଗସ୍ତ ପାଇଁ ପ୍ରସ୍ତୁତି ନେବା ପାଇଁ ଭାରତୀୟ ଟେଷ୍ଟ କ୍ରିକେଟର ନୀତିଶ କୁମାର ରେଡ୍ଡି ଆଇପିଏଲ ସଂଯୋଗକୁ ବ୍ୟବହାର କରିଛନ୍ତି। ଅଲ-ରାଉଣ୍ଡର ଭାବେ ପରିଚିତ ରେଡ୍ଡିଙ୍କର ଅଷ୍ଟ୍ରେଲିଆର ବର୍ଡର-ଗାଭାସ୍କର ଟ୍ରଫିରେ ବୋଲିଂ ପ୍ରଦର୍ଶନ ଖରାପ ଥିଲା। ତେଣୁ ଇଂଲଣ୍ଡ ଗସ୍ତରେ ସୁଧାର ଆବଶ୍ୟକ ବୋଲି ସେ ଅନୁଭବ କରିଥିଲେ।

ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ରେଡ୍ଡି ସନରାଇଜର୍ସ ହାଇଦ୍ରାବାଦର କ୍ୟାପଟେନ୍‌ ପାଟ୍ କମିନ୍ସଙ୍କ ସହ ଆଲୋଚନା କରି ଇଂଲଣ୍ଡର ଗସ୍ତ ବିଷୟରେ ପରାମର୍ଶ ମାଗିଥିଲେ। କମିନ୍ସ ରେଡ୍ଡିଙ୍କୁ କହିଥିଲେ ଯେ, ଇଂଲଣ୍ଡର ପାଣିପାଗ ସବୁଠୁ ବଡ଼ ଭୂମିକା ନିଭାଇଥାଏ।

ମଙ୍ଗଳବାରର ପ୍ରେସ ମିଟରେ ରେଡ୍ଡି କହିଛନ୍ତି, “ମୁଁ ତାଙ୍କୁ (ପାଟ୍ କମିନ୍ସ) ପଚାରିଥିଲି ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ କ’ଣ ଅଲଗାଆଛି, କାରଣ ଏହା ମୋର ପ୍ରଥମ ଗସ୍ତ। ସେ କହିଲେ ଏହା ପରିବର୍ତ୍ତନ ହେବ ନାହିଁ, କିନ୍ତୁ ପାଣିପାଗ ସ୍ଥିତିକୁ ଧ୍ୟାନରେ ରଖି ନିଜର ଖେଳ ଖେଳିବ।”

ରେଡ୍ଡି ଆହୁରି କହିଛନ୍ତି, “ମୁଁ ଦୁଇଟି ଇଣ୍ଡିଆ ‘ଏ’ ମ୍ୟାଚ୍‌ ଖେଳିବାକୁ ଯାଉଛି, ତେଣୁ ସେ କହିଲେ ଯଥାସମ୍ଭବ ଶିଖିବା ଚେଷ୍ଟା କରନ୍ତୁ।” ସେ ଭାରତ ବୋଲିଂ ପ୍ରଶିକ୍ଷକ ମର୍ନେ ମର୍କେଲଙ୍କ ସହିତ ମଧ୍ୟ ବିସ୍ତୃତ ଆଲୋଚନା କରିଛନ୍ତି। “ମୁଁ ମର୍ନେଙ୍କ ସହିତ ଆଲୋଚନା କରିଛି। ମୋର ବୋଲିଂରେ ଉନ୍ନତି ଦେଖାଯାଉଛି ଓ ତାଙ୍କ ସହିତ କାମ କରିବା ମୋତେ ଆନନ୍ଦ ଦେଉଛି,” ସେ କହିଛନ୍ତି।

ଅଷ୍ଟ୍ରେଲିଆ ଗସ୍ତ ପରେ ରେଡ୍ଡି ନିଜ ବୋଲିଂ ଉନ୍ନତ କରିବାକୁ ପ୍ରତିଜ୍ଞା କରିଥିଲେ। ଗୁରୁବାର ତୃତୀୟ ଟେଷ୍ଟର ପ୍ରଥମ ଦିନ ସେ ଏହା ପ୍ରମାଣିତ କରିଥିଲେ। ଅଷ୍ଟ୍ରେଲିଆର ୫ ମ୍ୟାଚ୍‌ରେ ୪୪ ଓଭର ବୋଲିଂ କରିଥିବା ରେଡ୍ଡି, ଇଂଲଣ୍ଡ ଗସ୍ତ ପୂର୍ବରୁ ଆଇପିଏଲରେ କମ୍‌ ବୋଲିଂ କରିଥିଲେ। କିନ୍ତୁ ପ୍ରଥମ ଓଭରରେ ଇଂଲଣ୍ଡର ଓପେନର ବେନ୍‌ ଡ଼କେଟ୍‌ ଓ ଜାକ୍‌ କ୍ରଲିଙ୍କୁ ଆଉଟ୍‌ କରି ସେ ସମସ୍ତଙ୍କୁ ଚକିତ କରିଛନ୍ତି।”