ପାଟନା,୬।୩: ବିହାର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ରାଜନୀତି ଛାଡ଼ି ଜାତୀୟ ରାଜନୀତିକୁ ଯିବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି। ଶୁକ୍ରବାର ସାରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ଜେଡିୟୁ (JDU) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜେଡିୟୁ ସାଂସଦ, ବିଧାୟକ ଏବଂ ବିଧାନ ପରିଷଦ ସଦସ୍ୟଙ୍କ ବୈଠକରେ ଦୁଇଟି ବଡ଼ ନିଷ୍ପତ୍ତି ଉପରେ ସର୍ବସମ୍ମତି କ୍ରମେ ମୋହର ବାଜିଛି। ପ୍ରଥମଟି ହେଉଛି ନୀତୀଶ କୁମାର ରାଜ୍ୟ ସଭାକୁ ଯିବେ ଏବଂ ଦ୍ୱିତୀୟଟି ହେଉଛି ତାଙ୍କ ପୁଅ ନିଶାନ୍ତ କୁମାର ସକ୍ରିୟ ରାଜନୀତିରେ ପ୍ରବେଶ କରିବେ।
ବିଆଇଟି (BIT) ମେସ୍ରାରୁ ସଫ୍ଟୱେୟାର ଇଞ୍ଜିନିୟରିଂ କରିଥିବା ନିଶାନ୍ତ କୁମାର ଆସନ୍ତାକାଲି(ଶନିବାର) ଜେଡିୟୁର ସଦସ୍ୟତା ଗ୍ରହଣ କରିବେ। ସେ ସାରା ବିହାର ଭ୍ରମଣ କରିବେ ବୋଲି ଜଣାପଡ଼ିଛି। ବିଧାୟକମାନଙ୍କୁ ସମ୍ବୋଧିତ କରି ନୀତିଶ କୁମାର କହିଛନ୍ତି, “ମୁଁ ରାଜ୍ୟସଭାକୁ ଯାଉଛି, କିନ୍ତୁ ଆପଣମାନଙ୍କୁ କୌଣସି ଅସୁବିଧା ହେବ ନାହିଁ। ମୁଁ ବିହାରରେ ମଧ୍ୟ ରହିବି ଏବଂ ସବୁ କାମର ତଦାରଖ କରିବି। ବୈଠକରେ ନୀତିଶଙ୍କ ବିଦାୟକୁ ନେଇ ଅନେକ ନେତା ଭାବପ୍ରବଣ ହୋଇପଡ଼ିଥିଲେ। ଜେଡିୟୁ ନେତା ନୀରଜ କୁମାର କହିଛନ୍ତି ଯେ ଏହା ଏକ ଅତ୍ୟନ୍ତ ମାର୍ମିକ ମୁହୂର୍ତ୍ତ ଥିଲା, କିନ୍ତୁ ସମସ୍ତେ ନୀତିଶଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଛନ୍ତି।
୫ ମାର୍ଚ୍ଚରେ ନୀତୀଶ କୁମାର ରାଜ୍ୟ ସଭା ପାଇଁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି। ଏହାସହ ତାଙ୍କର ପ୍ରାୟ ଦୁଇ ଦଶନ୍ଧିର ମୁଖ୍ୟମନ୍ତ୍ରୀ ଶାସନ ଶେଷ ହେବ। ଚର୍ଚ୍ଚା ଅନୁଯାୟୀ ଭାଜପାର କୌଣସି ଜଣେ ଓବିସି (OBC) କିମ୍ବା ଇବିସି (EBC) ବର୍ଗର ନେତା ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ନିଶାନ୍ତ କୁମାରଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିପାରେ। ସେ ସରକାରରେ ଜେଡିୟୁର ମୁଖ୍ୟ ଚେହେରା ଭାବେ କାମ କରିବେ ଏବଂ ପାର୍ଟିର କୋର୍ ଭୋଟ ବ୍ୟାଙ୍କ (କୁର୍ମୀ-କୋଇରୀ)କୁ ସଜାଗ ରଖିବେ।
ନୀତୀଶ କୁମାର ଏବେ ଦିଲ୍ଲୀରେ ରହି ଜାତୀୟ ରାଜନୀତି ଉପରେ ଫୋକସ୍ କରିବେ। ଶନିବାର ହେବାକୁ ଥିବା ନିଶାନ୍ତ କୁମାରଙ୍କ ମିଶ୍ରଣ ପର୍ବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଏନ୍ଡିଏର ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେବାର ସମ୍ଭାବନା ଅଛି। ଅପରପକ୍ଷେ ବିରୋଧୀ ଆରଜେଡି (RJD) ଏହି ନିଷ୍ପତ୍ତିକୁ ସମାଲୋଚନା କରି ଏହାକୁ ନୀତୀଶଙ୍କ ଆଦର୍ଶରୁ “ୟୁ-ଟର୍ଣ୍ଣ” ବୋଲି କହିଛି।