କେଜି କେଜି ମଟନ ଘରେ ଘରେ ପହଞ୍ଚାଇ ମଧ୍ୟ ନିର୍ବାଚନ ହାରିଯାଇଥିଲି: ନୀତିନ ଗଡକରୀ

ନୂଆଦିଲ୍ଲୀ,୨୪।୭: କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରରେ ସଡ଼କ ଓ ପରିବହନ ମନ୍ତ୍ରୀ ଥିବା ନୀତିନ ଗଡକରୀ ନିଜର ଖୋଲାଖୋଲି ମନ୍ତବ୍ୟ ପାଇଁ ଜଣାଶୁଣା। ନିକଟରେ ଏକ କାର୍ଯ୍ୟକ୍ରମରେ ସେ ଏମିତି ଏକ ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି। କେଜି କେଜି ମଟନ ଘରେ ଘରେ ପହଞ୍ଚାଇ ମଧ୍ୟ ଅତୀତରେ ନିର୍ବାଚନ ହାରିଯାଇଥିଲେ ବୋଲି ଏକ କାର୍ଯ୍ୟକ୍ରମରେ ଗଡକରୀ କହିଛନ୍ତି।
ମହାରାଷ୍ଟ୍ର ରାଜ୍ୟ ଶିକ୍ଷକ ପରିଷଦ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ପୋଷ୍ଟର ଦେଖି କିମ୍ବା ଖାଇବାକୁ ଦେଲେ ଲୋକମାନେ ନେତାଙ୍କୁ ନିର୍ବାଚନରେ ଜିତାନ୍ତି ନାହିଁ। ମୁଁ ଅନେକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛି। ମୁଁ ସମସ୍ତ ପରୀକ୍ଷା କରିସାରିଛି। ମୁଁ ଥରେ ଏକ ପରୀକ୍ଷା ସ୍ବରୂପ ନିର୍ବାଚନରେ ଘର ପିଛା କେଜି କେଜି ମଟନ ବାଣ୍ଟିଥିଲି। କିନ୍ତୁ ତଥାପି ମୁଁ ନିର୍ବାଚନରେ ହାରିଯାଇଥିଲି। ଭୋଟର ସର୍ବଦା ସଚେତନ ଥାନ୍ତି। ସେମାନେ ସମସ୍ତଙ୍କ ଜିନିଷ ଖାଆନ୍ତି କିନ୍ତୁ ସେ ଚାହୁଁଥିବା ନେତାଙ୍କୁ ହିଁ ଭୋଟ ଦିଅନ୍ତି। ମଟନ ପାର୍ଟି କିମ୍ବା ହୋର୍ଡିଂ ଲଗାଇ କୌଣସି ନିର୍ବାଚନ ଜିତି ହୁଏ ନାହିଁ। ଜନସାଧାରଣଙ୍କୁ କୌଣସି ପ୍ରକାର ଲୋଭ ଦେବା ପରିବର୍ତ୍ତେ, ସେମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାକୁ ପଡିବ।