ଇସ୍ତାନବୁଲ,୩।୪: ତୁର୍କୀର ଇସ୍ତାନବୁଲ ନାଇଟକ୍ଲବରେ ନବୀକରଣ କାର୍ଯ୍ୟ ସମୟରେ ଅଗ୍ନିକାଣ୍ଡରେ ୨୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। କିଛି ଲୋକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ଆହତଙ୍କ ମଧ୍ୟରୁ ୭ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଇସ୍ତାନବୁଲର ୟୁରୋପୀୟ ଅଂଶର ବେସିକ୍ତାସ ଜିଲାର ୧୬ ମହଲା ବିଶିଷ୍ଟ ଆବାସିକ କୋଠାର ତଳ ମହଲାରେ ଥିବା ନାଇଟ କ୍ଲବ ମରାମତି ପାଇଁ ବନ୍ଦ ରହିଥିଲା। ପରେ ନିଆଁ ଲିଭାଯାଇଥିଲା।
ରାଜ୍ୟପାଳ ଡାଭୁଟ ଗୁଲ କହିଛନ୍ତି, ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି। ଅନୁମାନ କରାଯାଉଛି ଯେ, ମରାମତି କାର୍ଯ୍ୟରେ ଜଡିତ ଲୋକମାନେ ନିଆଁରେ ଫସିଯାଇଛନ୍ତି। ନ୍ୟାୟ ମନ୍ତ୍ରୀ ୟିଲମାଜ ତୁଞ୍ଚ କହିଛନ୍ତି ଯେ କ୍ଲବର ମ୍ୟାନେଜର ତଥା ମରାମତି ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି।