ଦୀର୍ଘାୟୁ ପାଇଁ ପ୍ରସିଦ୍ଧ ନିକୋୟା ଉପଦ୍ୱୀପ

ସାନ୍‌ ଜୋସ୍‌: ଆମେରିକୀୟ ଦେଶ କୋଷ୍ଟାରିକାର ନିକୋୟା ଉପଦ୍ୱୀପ ନିଜର ଅନନ୍ୟ ଜୀବନଶୈଳୀ ଏବଂ ଲୋକଙ୍କ ଦୀର୍ଘାୟୁ ଜୀବନ ପାଇଁ ବିଶ୍ୱପ୍ରସିଦ୍ଧ। ଏଠାକାର ଲୋକଙ୍କ ହାରାହାରି ଆୟୁ ପ୍ରତି ଆମେରିକୀୟଙ୍କ ହାରାହାରି ଆୟୁ ତୁଳନାରେ ପ୍ରାୟ ୧୦ ବର୍ଷ ଅଧିକ। ଏଠାକାର ପାରମ୍ପରିକ ଖାଦ୍ୟ ଏବଂ ଜୀବନଶୈଳୀ ଲୋକଙ୍କୁ ସୁସ୍ଥ ରଖିଥାଏ।
ନିକୋୟାର ଲୋକମାନେ ପ୍ରାକୃତିକ ଏବଂ ପାରମ୍ପରିକ ଖାଦ୍ୟ ଗ୍ରହଣ କରିଆସୁଛନ୍ତି। ଏଠାକାର ଖାଦ୍ୟର ବିଶେଷତ୍ୱ ହେଉଛି, ଏଥିରେ କୌଣସି କୃତ୍ରିମ, ରାସାୟନିକ ପଦାର୍ଥ କିମ୍ବା ମିଶ୍ରଣର ବ୍ୟବହାର ହୋଇ ନ ଥାଏ। ସେହିପରି ଏଠାକାର ଲୋକମାନେ ଲାଲ୍‌ ମାଂସ ଏବଂ ପଶୁ ଚର୍ବିକୁ ଖୁବ୍‌ କମ୍‌ ମାତ୍ରାରେ ଖାଇଥାନ୍ତି। ଅଧିକାଂଶ ଲୋକ ମକା, ବିନ୍ସ, ତାଜା ଫଳ ଏବଂ ପନିପରିବା ଆଦି ସୁସ୍ଥକର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଏହା ସେମାନଙ୍କ ଶରୀରକୁ ସନ୍ତୁଳିତ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌ ଏବଂ ଫାଇବର ଯୋଗାଇଥାଏ। ସେହିପରି ଏଠାକାର ନିବାସୀମାନେ ସୁସ୍ଥ ଏବଂ ସନ୍ତୁଳିତ ଜୀବନଶୈଳୀକୁ ଅନୁପାଳନ କରନ୍ତି। ନିକୋୟାର ପାଣିରେ କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ଭରପୂର ରହିଛି, ଯାହା ହୃଦ୍‌ରୋଗକୁ ପ୍ରତିହତ କରିବା ସହ ହାଡ଼କୁ ମଜଭୁତ କରିଥାଏ। ଏହା ବ୍ୟତୀତ ଏଠାକାର ଲୋକମାନେ ସୂର୍ଯ୍ୟକିରଣ ପଡୁଥିବା ଖୋଲା ପରିବେଶରେ ଅଧିକ ସମୟ ବିତାଇଥାନ୍ତି।
ଏକ ଅଧ୍ୟୟନ ଅନୁଯାୟୀ, କୋଷ୍ଟାରିକାର ୬୦ ବର୍ଷରୁ ଅଧିକ ବୟସର ୨,୮୨୭ ଜଣ ନାଗରିକଙ୍କୁ ୧୫ ବର୍ଷ ଧରି ଅନୁଧ୍ୟାନ କରାଯାଇଥିଲା। ପାରମ୍ପରିକ ଖାଦ୍ୟ ଖାଇବା ସହ ସୁସ୍ଥ ଜୀବନଶୈଳୀକୁ ଅନୁପାଳନ କରୁଥିବାରୁ ଏହି ଲୋକମାନଙ୍କ ଅକାଳ ମୃତ୍ୟୁର ଆଶଙ୍କା ୧୮% କମିଥିବା ଅଧ୍ୟୟନରେ ପ୍ରକାଶ ପାଇଥିଲା।
ନିକୋୟା ଦ୍ୱୀପ ସାରା ବିଶ୍ୱର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି। ଏଠାରେ ଅନେକ ବିଳାସପୂର୍ଣ୍ଣ ରିସୋର୍ଟ ତଥା ରେଷ୍ଟୁରାଣ୍ଟ ରହିଛି, ଯେଉଁଠାରେ ସ୍ଥାନୀୟ ଫସଲ, ଫଳ, ପନିପରିବା ଏବଂ ମହୁକୁ ନେଇ ସୁସ୍ଥ ତଥା ପାରମ୍ପରିକ ଖାଦ୍ୟ ପର୍ଯ୍ୟଟକମାନଙ୍କୁ ପରଷା ଯାଇଥାଏ।