୧୧ ଜଣଙ୍କ ବିରୋଧରେ ଏନ୍‌ଆଇଏ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୩୧ା୧୨(ପି.ଟି.): ତେଲଙ୍ଗାନାରେ ବେଆଇନ ଘୋଷିତ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ପାଇଁ ଆତଙ୍କବାଦ ପ୍ରଶିକ୍ଷଣ କ୍ୟାମ୍ପ ଆୟୋଜନରେ ସମ୍ପୃକ୍ତ ୧୧ ଅଭିଯୁକ୍ତଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଚାର୍ଜଶିଟ୍‌ ଦାଖଲ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ୧୦ ଜଣ ତେଲଙ୍ଗାନାର ହୋଇଥିବାବେଳେ ଜଣେ ଆନ୍ଧ୍ରପ୍ରଦେଶର। ହାଇଦ୍ରାବାଦର ସ୍ବତନ୍ତ୍ର ଏନ୍‌ଆଇଏ କୋର୍ଟରେ ଗୁରୁବାର ଏହି ଚାର୍ଜଶିଟ୍‌ ଦାଖଲ ହୋଇଛି। ଗତ ଜୁଲାଇ ୪ରେ ତେଲଙ୍ଗାନା ନିଜାମାବାଦ ଜିଲା ପୋଲିସ ଏହି ମାମଲା ରୁଜୁ କରିଥିବାବେଳେ ଅଗଷ୍ଟ ୨୬ରେ ଏନ୍‌ଆଇଏ ତଦନ୍ତ ହାତକୁ ନେଇ ପୁନର୍ବାର ମାମଲା ଦାଏର କରିଥିଲା। ଅଭିଯୁକ୍ତମାନେ ମୁସଲମାନ ଯୁବକମାନଙ୍କ ମନରେ କେନ୍ଦ୍ର ସରକାର ଓ ଅନ୍ୟାନ୍ୟ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କ ବିରୋଧରେ ଘୃଣା ସୃଷ୍ଟି କରାଇବା ସହ ସେମାନଙ୍କୁ ମୌଳବାଦୀ କରାଇ ପିଏଫ୍‌ଆଇରେ ନିଯୁକ୍ତ କରାଉଥିଲେ ବୋଲି ତଦନ୍ତରୁ ଜଣାପଡ଼ିଛି। ପିଏଫଆଇରେ ନିଯୁକ୍ତି ପାଇବା ପରେ ସେମାନଙ୍କୁ ତାଲିମ ଦେବା ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଥିଲା। ଯୋଗଶିକ୍ଷା ଏବଂ ଶାରୀରିକ ଶିକ୍ଷା ବାହାନାରେ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ତାଲିମ ଦିଆଯାଉଥିଲା ବୋଲି ଏନ୍‌ଆଇଏର ଜଣେ ଅଧିକାରୀ କହିଛନ୍ତି।

Share