Categories: Home Leftଖେଳ

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ ନେମାର ପୂର୍ବରୁ କହିଥିଲେ ଯେ, ଆଣ୍ଠୁରେ ଯନ୍ତ୍ରଣା ଯୋଗୁ ତାଙ୍କୁ ଅନେକ ମ୍ୟାଚ୍‌ରୁ ଦୂରେଇ ରହିବାକୁ ହୋଇଥିଲା। ଗତ ସପ୍ତାହାନ୍ତରେ ସାଓ ପାଉଲୋରେ ଅନୁଷ୍ଠିତ ଏକ ମ୍ୟୁଜିକ୍‌ ଇଭେଣ୍ଟରେ ଏହି ଷ୍ଟ୍ରାଇକର କହିଥିଲେ ଯେ, ବିଶ୍ୱକପ୍‌ ବେଳକୁ ସେ ଠିକ୍‌ ହୋଇଯାଇଥିବେ। ଫାଇନାଲରେ ଗୋଲ୍‌ କରିବା ଲାଗି ତାଙ୍କର ଆଶା ରହିଛି। ଏଣେ ମେ’ ମାସରେ ବ୍ରାଜିଲର କୋଚ୍‌ ଭାବେ ନିଯୁକ୍ତି ପାଇଥିବା କାର୍ଲୋ ଆନ୍‌ସେଲୋଟି ବିଶ୍ୱ କପ୍‌ ପାଇଁ ଏପର୍ଯ୍ୟନ୍ତ ନେମାରଙ୍କ ନାମ ଉଠାଇ ନାହାନ୍ତି।

ସୂଚନାଯୋଗ୍ୟ, ୨୦୨୩ ଅକ୍ଟୋବରରେ ବିଶ୍ୱକପ୍‌ କ୍ୱାଲିଫାଇଂ ଖେଳୁଥିବା ବେଳେ ତାଙ୍କ ଆଣ୍ଠୁରେ ସମସ୍ୟା ଦେଖାଦେଇଥିଲା। ସେ ଜାନୁଆରୀରେ ସାଣ୍ଟୋସକୁ ଫେରିଥିଲେ। ବ୍ରାଜିଲର ସିରି-‘ଏ’ରେ ସେ ୩୮ରାଉଣ୍ଡ ଖେଳରୁ ମାତ୍ର ୧୯ଟିରେ ଖେଳିଥିଲେ। ଏପ୍ରିଲରୁ ଏହି ଖେଳ ଆରମ୍ଭ ହୋଇଥିଲା। ଏଥିରେ ସେ ମୋଟ ୮ଟି ଗୋଲ୍‌ ସ୍କୋର କରିଥିଲେ।