ନୂଆଦିଲ୍ଲୀ,୧୭ା୨: ବହୁ ଚର୍ଚ୍ଚିତ ନ୍ୟୁଜ୍ କ୍ଲିକ୍ ପୋର୍ଟାଲ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୨୦ କୋଟି ଟଙ୍କା ଜରିମାନା କରିଛି। ଏଥିସହିତ ଏହି ପୋର୍ଟାଲର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ତଙ୍କ ଉପରେ ମଧ୍ୟ ଇଡି ୬୪ କୋଟି ଟଙ୍କାର ଜରିମାନା ଲଗାଇଛି। ବିଦେଶୀ ପୁଞ୍ଜି କାରବାରରେ ଅନିୟମିତତା କରାଯାଇଥିବା ଦର୍ଶାଇ ‘ଫେମା (ଫରେନ୍ ଏକ୍ସଚେଞ୍ଜ ମ୍ୟାନେଜ୍ମେଣ୍ଟ ଆକ୍ଟ)’ ଅଧୀନରେ ଏହି ଜରିମାନା କରାଯାଇଛି ବୋଲି ଇଡି ପକ୍ଷରୁ କୁହାଯାଇଛି। ପ୍ରବୀର ତାଙ୍କ ପୋର୍ଟାଲ ମାଧ୍ୟମରେ ବିଦେଶରୁ ବିଭିନ୍ନ ସୂତ୍ରରେ ବେଆଇନ ଭାବେ ଅର୍ଥ ସଂଗ୍ରହ କରି ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ ରହିଥିବା ଜଣାପଡ଼ିବା ପରେ ୨୦୨୩ରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା। ଏବେ ସେ ଜାମିନରେ ଆସିଥିଲେ ହେଁ ଦିଲ୍ଲୀ ପୋଲିସଠାରୁ ଆରମ୍ଭ କରି ଇଡି, ସିବିଆଇ, ଆୟକର ବିଭାଗ ତାଙ୍କର ବିଭିନ୍ନ କାର୍ଯ୍ୟକଳାପ ସମେତ ବେଆଇନ ଅର୍ଥ କାରବାର ଉପରେ ଯାଞ୍ଚ କରୁଛନ୍ତି। ଇତିମଧ୍ୟରେ ଇଡି ପକ୍ଷରୁ ପ୍ରବୀରଙ୍କ ସମେତ ତାଙ୍କ ପୋର୍ଟାଲ ନ୍ୟୁଜ୍ କ୍ଲିକ୍ ଉପରେ ଉପରୋକ୍ତ ପରିମାଣର ଜରିମାନା କରାଯାଇଛି।