ବିବାହ ଟିକେଟ ବିକି ୧.୧୬ କୋଟି ରୋଜଗାର କଲେ ନବ ଦମ୍ପତି, ପୂରା ଘଟଣା ଜାଣିଲେ…

ୱାଶିଂଟନ: ସାମ୍ପ୍ରତିକ ସମୟରେ ବିବାହ ଅତ୍ୟନ୍ତ ବ୍ୟୟବହୁଳ ହେବା ସହ ଏହାର ଖର୍ଚ୍ଚ ବଢ଼ି ଚାଲିଥିବାବେଳେ ଏକ ଆମେରିକୀୟ ନବ ଦମ୍ପତି ନିଜ ବିବାହର ଟିକେଟ୍‌ ବିକ୍ରି କରି ଏହାକୁ ଏକ ଇଭେଣ୍ଟରେ ପରିଣତ କରିଛନ୍ତି। ଏହି ପ୍ରକ୍ରିୟାରେ ଉଭୟେ ୧,୩୨,୫୫୦ ଡଲାର (ପ୍ରାୟ ୧.୧୬ କୋଟି ଟଙ୍କା)ରୁ ଅଧିକ ସଂଗ୍ରହ କରିଛନ୍ତି।
ଗତ ୧ ତାରିଖରେ ଆମେରିକାର ଇଡାହୋ ରାଜ୍ୟର ଇଗଲ ସହରରେ ୨ ଉଦ୍ୟୋଗପତି ମାର୍ଲି ଜ୍ୟାକ୍ସ (୩୪) ଓ ଷ୍ଟିଭ୍‌ ଜେ ଲାର୍ସନ (୩୭) ବିବାହ କରିଥିଲେ। ସେମାନେ ନିଜ ବିବାହର ଟିକେଟ୍‌ ବିକ୍ରି କରି ଏହାକୁ ଏକ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମରେ ପରିଣତ କରିଥିଲେ। ଏହି ବିବାହରେ ଅତିଥିମାନଙ୍କୁ ଦେୟଯୁକ୍ତ ପ୍ରବେଶ କରିବାକୁ ପଡ଼ିଥିଲା। ଉଭୟେ ମାର୍ଲି ଓ ଷ୍ଟିଭ୍‌ ଉଦ୍ୟୋଗପତି ହୋଇଥିବାରୁ ବ୍ୟବସାୟିକ କାର୍ଯ୍ୟକ୍ରମର ଆୟୋଜନ କରିବାରେ ସେମାନଙ୍କର ଅଭିଜ୍ଞତା ଥିଲା। ମାର୍ଲି କହିଛନ୍ତି, ସମ୍ପ୍ରତି ଆମେରିକାରେ ବିବାହ ଖର୍ଚ୍ଚ ବଢ଼ି ଚାଲିଛି। କେବଳ କେକ୍‌ କାଟିବା ସେବାର ମୂଲ୍ୟ ୬୫୦ ଡଲାର (ପ୍ରାୟ ୫୪ ହଜାର ଟଙ୍କା) ପର୍ଯ୍ୟନ୍ତ ରହିଛି। ସେ ଏବଂ ଷ୍ଟିଭ୍‌ ନିଜ ବିବାହକୁ ବୋଝରେ ପରିଣତ କରିବାକୁ ଚାହୁଁ ନ ଥିଲେ। ବିବାହରେ ଯୋଗଦେବାକୁ ଥିବା ଅତିଥିମାନେ ଉପହାର ଦେବା ବଦଳରେ କେବଳ ନିଜ ନିଜ ଖାଦ୍ୟର ଖର୍ଚ୍ଚ ବହନ କରନ୍ତୁ ବୋଲି ସେମାନେ ଚାହୁଁଥିବା ମାର୍ଲି କହିଛନ୍ତି। ତେଣୁ ତାଙ୍କ ବିବାହରେ ଯୋଗଦେବା ପାଇଁ ଏହି ଦମ୍ପତି ଅତିଥିମାନଙ୍କୁ ଟିକେଟ୍‌ କିଣିବାକୁ ନିମନ୍ତ୍ରଣ କରିଥିଲେ। ଟିକେଟ କିଣିବା ପାଇଁ ୨ଟି ଟାୟାର ରହିଥିଲା। ପ୍ରଥମ ଟାୟାରରେ ୫୭ ଡଲାର (ପ୍ରାୟ ୪,୭୫୦ ଟଙ୍କା) ମୂଲ୍ୟ ସହ ମୌଳିକ ଟିକେଟ୍‌ ଉପଲବ୍ଧ ଥିଲା, ଯାହା ସାହାଯ୍ୟରେ ଜଣେ ଅତିଥିଙ୍କୁ ବିବାହ ସମାରୋହ ଏବଂ ଭୋଜି ପାଇଁ ପ୍ରବେଶର ଅନୁମତି ମିଳିଥିଲା।
ସେହିପରି ଦ୍ବିତୀୟ ଟାୟାରରେ ୯୯୭ ଡଲାର (ପ୍ରାୟ ୮୩,୦୦୦ ଟଙ୍କା) ମୂଲ୍ୟ ସହ ଭିଆଇପି ଟିକେଟ୍‌ ଉପଲବ୍ଧ ଥିଲା, ଯାହା ସାହାଯ୍ୟରେ ୨ ଜଣ ଅତିଥିଙ୍କୁ ବିବାହ ଭୋଜି ସମେତ ବିଭିନ୍ନ ପ୍ରି ଏବଂ ପୋଷ୍ଟ ୱେଡ଼ିଂ କାର୍ଯ୍ୟକ୍ରମଗୁଡିକରେ ପ୍ରବେଶର ଅନୁମତି ମିଳିଥିଲା। ତେବେ ଏହି ଟିକେଟ କିଣାରୁ ନିକଟତମ ବନ୍ଧୁ ଏବଂ ପରିବାର ସଦସ୍ୟକୁ ବାଦ୍‌ ଦିଆଯାଇଥିଲା। କେବଳ ମାର୍ଲି ଏବଂ ଷ୍ଟିଭ୍‌ଙ୍କ ବୃତ୍ତିଗତ ଏବଂ ସୋସିଆଲ ମିଡିଆ ନେଟ୍‌ୱର୍କର ଲୋକମାନେ ଟିକେଟ କିଣି ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ। ତେବେ ଏପରି ବିବାହକୁ ସୋସିଆଲ ମିଡିଆରେ ଅନେକେ ସମାଲୋଚନା କରିଛନ୍ତି। ଏହାର ଉତ୍ତରରେ ମାର୍ଲି ଏବଂ ଷ୍ଟିଭ୍‌ କହିଛନ୍ତି, ସେମାନେ ଏପରି ବିବାହ ଲାଭ ପାଇବା ପାଇଁ କରିନାହାନ୍ତି। ବିବାହ ଖର୍ଚ୍ଚ ବ୍ୟତୀତ ତାଙ୍କୁ ମିଳିଥିବା ଅତିରିକ୍ତ ୯୬, ୨୦୦ ଡଲାର (ପ୍ରାୟ ୮୫ ଲକ୍ଷ ଟଙ୍କା)କୁ ସେମାନେ କେନିଆରେ ଶିକ୍ଷା ଭିତ୍ତିଭୂମି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଭିଲେଜ୍‌ ଇମ୍ପାକ୍ଟ ନାମକ ଏକ ଅଣଲାଭକାରୀ ସଂସ୍ଥାକୁ ଦାନ କରିଛନ୍ତି।