ଉମରକୋଟ, ୧୮।୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୋଏଲାରବେଡ଼ା ଗାଁ ପୋଖରୀହୁଡ଼ାରୁ ରବିବାର ଜଣେ ନବଜାତକଙ୍କ ମୃତଦେହ ମିଳିଛି। ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣା ତଦନ୍ତ ଆରମ୍ଭ କରିଛି। ତେବେ ମୃତଦେହ ସେଠାକୁ କିପରି ଆସିଲା ସେ ନେଇ କୌଣସି ସୂଚନା ମିଳିନାହିଁ।
ସୂଚନା ଅନୁଯାୟୀ, ରବିବାର ପାଖ ଅଞ୍ଚଳର କେତେଜଣ ଲୋକ ଗୋରୁ ନେଇ ଯାଉଥିଲେ। ସେମାନେ ନିକଟସ୍ଥ ପୋଖରୀହୁଡ଼ାରେ ଥିବା ଏକ ଖଜୁରି ଗଛ ମୂଳେ ଜଣେ ନବଜାତ ଶିଶୁପୁତ୍ର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେମାନେ ଗ୍ରାମବାସୀ, ସମିତି ସଭ୍ୟ ରାମ ସିଂ ପୂଜାରୀଙ୍କୁ ଜଣାଇଥିଲେ।
ସମିତି ସଭ୍ୟ ପୂଜାରୀ ଓ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ଡିଏସ୍ପି ରମାକାନ୍ତ ସାଏ, ଏଏସ୍ଆଇ ନରେନ୍ଦ୍ର ଗୋଲାପୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଉମରକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ମୃତଦେହ ଶତ୍କାର କରାଯାଇଛି। କେସ୍ ନଂ ୬/୨୬ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି। ତେବେ ଏପରି ଅମାନବୀୟ କାଣ୍ଡ ଘଟାଇଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।