Categories: Home Leftଖେଳ

ନ୍ୟୁଜିଲାଣ୍ଡର ରେକର୍ଡ ବିଜୟ

ବୁଲାଓ୍ବେଓ: ସ୍ଥାନୀୟ କୁଇନ୍ସ ସ୍ପୋଟର୍‌ସ କ୍ଲବଠାରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଏକ ଇନିଂସ ଓ ୩୫୯ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଦଳ ଏଥିସହ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ୨-୦ରେ ଜିତିନେଇଛି। କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡର ଏହା ହେଉଛି ସବୁଠାରୁ ବଡ଼ ବିଜୟ।

ପ୍ରଥମ ଇନିଂସରେ ୪୭୬ ରନରେ ପଛୁଆଥିବା ଜିମ୍ବାଓ୍ବେ ତୃତୀୟ ଦିବସ ଖେଳରେ ନ୍ୟୁଜିଲାଣ୍ଡ ପେସ୍‌ ବୋଲିଂ ଆକ୍ରମଣର ଉଚିିତ ମୁକାବିଲା କରି ନ ପାରି ଏହାର ଦ୍ୱିତୀୟ ଇନିଂସରେ ମାତ୍ର ୧୧୭ ରନ କରି ଅଲଆଉଟ ହୋଇଯାଇଥିଲା। ପ୍ରଥମ ଇନିଂସରେ ୪ ଉଇକେଟ ସଫଳତା ହାସଲ କରିଥିବା ନବାଗତ ଫାଷ୍ଟ ବୋଲର ଜାକାରି ଫୋଲକ୍ସ ଦ୍ୱିତୀୟ ଇନିଂସରେ ୩୭ରନ ବିନିମୟରେ ୫ ଉଇକେଟ ଅକ୍ତିଆର କରିଥିଲେ। ସ୍ମରଣୀୟ ଟେଷ୍ଟ ପଦାର୍ପଣରେ ସେ ଅଳ୍ପକେ ୧୦ ଉଇକେଟ ସଫଳତାରୁ ବଞ୍ଚିତ ହୋଇଥିଲେ।

ଫାଷ୍ଟ ବୋଲର ମ୍ୟାଟ ହେନ୍‌ରୀ (୨/୧୬), ଜାକବ ଡୁଫି (୨/୨୮) ଓ ମାଥ୍ୟୁ ଫିଶର (୧/୨୨) ମଧ୍ୟ ଉଇକେଟ ସଫଳତା ପାଇଥିଲେ। ଜିମ୍ବାଓ୍ବେ ୨୮.୧ ଓଭରରେ ଅଲଆଉଟ ହୋଇଯାଇଥିଲା। ସିରିଜରେ ଏହା ଥିଲା ଦଳର ସର୍ବନିମ୍ନ ସ୍କୋର।