NAPIER, NEW ZEALAND - MARCH 30: Glenn Phillips of New Zealand celebrates scoring 50 runs during game two of the International T20 series between New Zealand and Bangladesh at McLean Park on March 30, 2021 in Napier, New Zealand. (Photo by Kerry Marshall/Getty Images)
ନାପିଏର,୩୧।୩: ବର୍ଷା ବାଧାପ୍ରାପ୍ତ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଡକ୍ଓ୍ବର୍ଥ/ଲୁଇସ୍ ନିୟମରେ ୨୮ ରନରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ନ୍ୟୁଜିଲାଣ୍ଡ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ସ୍ଥାନୀୟ ମ୍ୟାକଲିନ୍ ପାର୍କରେ ମଙ୍ଗଳବାର ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ବାଂଲାଦେଶ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁ ମ୍ୟାଚ୍ର ଓଭର ସଂଖ୍ୟାକୁ କମାଇ ଦିଆଯାଇଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୭.୫ ଓଭରରେ ୫ ଉଇକେଟ ହରାଇ ୧୭୩ ରନ ସଂଗ୍ରହ କରିଥିଲା। ତେବେ ଏହା ପରେ ବର୍ଷା ହୋଇଥିଲା ଓ ଏହି ସ୍କୋରରେ ନ୍ୟୁଜିଲାଣ୍ଡ ଇନିଂସ ସୀମିତ ରହିଥିଲା। ଫଳରେ ବାଂଲାଦେଶ ସମ୍ମୁଖରେ ଡକ୍ଓ୍ବର୍ଥ/ଲୁଇସ୍ ନିୟମରେ ୧୬ ଓଭରରେ ୧୭୧ ରନର ବିଜୟ ଲକ୍ଷ୍ୟ ଧାଯର୍ୟ କରାଯାଇଥିଲା। ଜବାବରେ ବାଂଲାଦେଶ ୭ ଉଇକେଟରେ ୧୪୨ ରନରେ ସୀମିତ ରହି ପରାସ୍ତ ହୋଇଥିଲେ। ଏଥିସହିତ ଘରୋଇ ମାଟିରେ ଚଳିତ ସେସନରେ ନ୍ୟୁଜିଲାଣ୍ଡ ସପ୍ତମ ସିରିଜ ବିଜୟ ହାସଲ କରିଛି। ନ୍ୟୁଜିଲାଣ୍ଡ ଟି୨୦ରେ ୪, ଟେଷ୍ଟରେ ୨ ଓ ଦିନିକିଆ ଫର୍ମାଟରେ ଗୋଟିଏ ସିରିଜରେ ବିଜୟୀ ହୋଇଛି। ଗ୍ଲେନ ଫିଲିପ୍ସ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
୧୭୧ ରନ ଟାର୍ଗେଟର ପିଛା କରି ବାଂଲାଦେଶ ଏକଦା ୨ ଉଇକେଟ ହରାଇ ୧୧୦ ରନ କରି ସୁବିଧାଜନକ ସ୍ଥିତିରେ ଥିଲା। ତେବେ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ବାଂଲାଦେଶ ମ୍ୟାଚ୍ ହାତଛଡ଼ା କରିଥିଲା। ଦଳ ତରଫରୁ ସୌମ୍ୟ ସରକାର ୨୭ ବଲରୁ ୫ ଚୌକା ଓ ୩ ଛକା ସହ ୫୧, ଓପନର ମହମ୍ମଦ ନଇମ ୩୫ ବଲରୁ ୩୮, ଅଧିନାୟକ ମହମୁଦୁଲ୍ଲା ୨୧ ରନ ସଂଗ୍ରହ କରି ଆଉଟ ହୋଇଥିବା ବେଳେ ମାହେଦି ହାସନ ୧୨ ରନକରି ଅପରାଜିତ ରହିଥିଲେ। ନ୍ୟୁଜିଲାଣ୍ଡ ତରଫରୁ ଟିମ୍ ସୌଦି, ହାମିଶ ବେନେଟ୍ ଓ ଆଡାମ ମିଲନେ ୨ଟି ଲେଖାଏ, ଗ୍ଲେନ୍ ଫିଲିପ୍ସ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ତରଫରୁ ଗ୍ଲେନ୍ ଫିଲିପ୍ସ ୩୧ଟି ବଲ୍ ଖେଳି ୫ ଚୌକା ଓ ୨ଛକା ସହ ୫୮ ରନର ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସେହିପରି ଡାରିଲ ମିଚେଲ ୧୬ ବଲରୁ ୬ ଚୌକା ସହ ୩୪ ରନକରି ଅପରାଜିତ ରହିଥିଲେ। ମାର୍ଟିନ ଗୁପ୍ଟିଲ ୨୧, ଫିନ ଆଲେନ ୧୭, ଡେଭନ କନଓ୍ବେ ୧୫, ଓ୍ବିଲ ୟଙ୍ଗ ୧୪ ରନ କରି ଆଉଟ ହୋଇଥିଲେ। ବୋଲିଂରେ ବାଂଲାଦେଶ ତରଫରୁ ମାହେଦି ହାସନ ୨, ମହମ୍ମଦ ସୌଫୁଦ୍ଦିନ, ତାସ୍କିନ ଅହମ୍ମଦ ଓ ଶୋରିଫୁଲ ଇସ୍ଲାମ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ୧୭.୫ ଓଭରରେ ୧୭୩/୫
(ଫିଲିପ୍ସ- ୫୮*, ଡାରିଲ ମିଚେଲ- ୩୪*, ଗୁପ୍ଟିଲ- ୨୧, ମାହେଦି ହାସନ- ୨/ ୪୫)।
ବାଂଲାଦେଶ ୧୬ ଓଭରରେ ୧୪୨/୭
(ସୌମ୍ୟ- ୫୧, ନଇମ- ୩୮, ମହମୁଦୁଲ୍ଲା- ୨୧, ସୌଦି- ୨/୨୧, ବେନେଟ- ୨/୩୧, ମିଲନେ- ୨/୩୪)।