HAMILTON, NEW ZEALAND - DECEMBER 20: Kane Williamson, captain of New Zealand (L) and Tim Seifert of New Zealand (R) talk during game two of the International T20 series between New Zealand and Pakistan at Seddon Park on December 20, 2020 in Hamilton, New Zealand. (Photo by Fiona Goodall/Getty Images)
ହାମିଲ୍ଟନ, ୨୧ା୧୨ (ଏପି)-ସ୍ଥାନୀୟ ସେଡନ ପାର୍କଠାରେ ରବିବାର ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ରେ ନ୍ୟୁଜିଲାଣ୍ଡ ୯ ଉଇକେଟରେ ବିଜୟ ଲାଭ କରିଛି। ଓପନର ଟିମ୍ ସିଫର୍ଟଙ୍କ ଉପଯୋଗୀ ୮୪ରନ ଏବଂ କେନ୍ ଓ୍ବିଲିୟମସନଙ୍କ ସହ ତାଙ୍କର ୧୨୯ରନର ପାର୍ଟନରଶିପ୍ ଯୋଗୁ ଦଳ ସହଜରେ ମ୍ୟାଚ ଜିତିନେଇଥିଲା। ରବିବାର ଏହି ବିଜୟ ଦ୍ୱାରା ଘରୋଇ ଦଳ ୩ ମ୍ୟାଚବିଶିଷ୍ଟ ଟି୨୦ ସିରିଜରେ ୨-୦ରେ ଅଗ୍ରଣୀ ସହ ଆଗୁଆ ସିରିଜ କବ୍ଜା କରିନେଇଛି। ଓ୍ବିଲିୟମସନ ୫୭ ରନ କରି ଅପରାଜିତ ରହିଥିଲେ। ନ୍ୟୁଜିଲାଣ୍ଡ ୪ଟି ବଲ ବାକିଥାଇ ପାକିସ୍ତାନର ମୋଟ ସ୍କୋର ୧୬୩/୬କୁ ଅତିକ୍ରମ କରିଯାଇଥିଲା। ସିଫର୍ଟ ତାଙ୍କ ଇନିଂସରେ ୬୩ଟି ବଲର ସାମ୍ନା କରିଥିଲେ। ଫ୍ଲାଟ୍ ଉଇକେଟରେ ପାକିସ୍ତାନର ଅସ୍ଥିର ବୋଲିଂର ଫାଇଦା ଉଠାଇ ସେ ନିଜ ଇଚ୍ଛା ମୁତାବକ ଶର୍ଟ ଖେଳିଥିଲେ। ସେ ୮ ଚୌକା ଓ ୩ ଛକା ଲଗାଇଥିଲେ। ଅନ୍ୟପକ୍ଷରେ ଓ୍ବିଲିୟମସନ ତାଙ୍କ ୧୨ତମ ଟି୨୦ ଅର୍ଦ୍ଧଶତକ ୩୭ଟି ବଲରେ ହାସଲ କରିଥିଲେ। ଟସ୍ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ଏକ ଚ୍ୟାଲେଞ୍ଜିଂ ସ୍କୋର କରିବାରେ ବିଫଳ ହୋଇଥିଲା। ଭେଟେରାନ ମହମ୍ମଦ ହାଫିଜଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜ୍ରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ହାଫିଜ ଅନ୍ତର୍ଜାତୀୟ ଟି୨୦ରେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୯୯ରନ କରି ଅପରାଜିତ ରହିଥିଲେ।
ସଂକ୍ଷିପ୍ତ ସ୍କୋର
ପାକିସ୍ତାନ: ୨୦ ଓଭରରେ ୧୬୩/୬ (ହାଫିଜ୍-୯୯*, ମହମ୍ମଦ ରିଜଓ୍ବାନ-୨୨, ଟିମ୍ ସୌଦି-୪/୨୧)।
ନ୍ୟୁଜିଲାଣ୍ଡ: ୧୯.୨ ଓଭରରେ ୧୬୪/୧ (ଟିମ୍ ସିଫର୍ଟ-୮୪*, କେନ୍ ଓ୍ବିଲିୟମସନ-୫୭*, ଫାହିମ୍ ଅଶ୍ରଫ୍-୧/୧୯)।