WELLINGTON, NEW ZEALAND - MARCH 26: New Zealand players pose with the series trophy after winning game three of the One Day International series between New Zealand and Bangladesh at Basin Reserve on March 26, 2021 in Wellington, New Zealand. (Photo by Hagen Hopkins/Getty Images)
ଓ୍ବେଲିଂଟନ, ୨୭ା୩ (ଏପି)-ଡେଭନ କନଓ୍ବେ ଓ ଅଲରାଉଣ୍ଡର ଡେରିଲ ମିଚେଲଙ୍କ ପ୍ରଥମ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ଏଠାରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୧୬୪ରନରେ ପରାସ୍ତ କରିଛି। ଏଥିସହିତ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜ ୩-୦ରେ କ୍ଲିନ ସୁଇପ ବିଜୟ ହାସଲ କରିଛି। ୧୨୬ ରନ କରିଥିବା ଦକ୍ଷିଣ ଆଫ୍ରିକା ଜନ୍ମିତ କନଓ୍ବେ ୯୫ ବଲ୍ରେ ତାଙ୍କ ଶତକ ହାସଲ କରିଥିଲେ। ମିଚେଲଙ୍କ ସହ ସେ ୧୫୯ରନର ଏକ ରେକର୍ଡ ପାର୍ଟନରଶିପ୍ କରିଥିଲେ। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ବିନିମୟରେ ୩୧୮ରନ କରିଥିଲା। ମିଚେଲ ୫୦ତମ ଓଭରରେ ୧୭ ରନ ସଂଗ୍ରହ କରି ୯୨ ବଲ୍ରେ ତଥା ଇନିଂସର ଅନ୍ତିମ ଡେଲିଭରିରେ ତାଙ୍କ ଅପରାଜିତ ଶତକ (୧୦୦ରନ) ହାସଲ କରିଥିଲେ। ପଛରେ ବ୍ୟାଟିଂ କରିଥିବା ବାଂଲାଦେଶର ଟପ୍ ଅର୍ଡରରେ ବିପର୍ଯ୍ୟୟ ଘଟାଇଥିଲେ ମ୍ୟାଟ୍ ହେନ୍ରୀ। ସେ ତାଙ୍କ ପ୍ରଥମ ୪ ଓଭରରେ ମାତ୍ର ୧୩ ରନ ବିନିମୟରେ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଟ୍ରେଣ୍ଟ ବୋଲ୍ଟ ଥାର୍ଡମ୍ୟାନ ଅଞ୍ଚଳରେ ଲିଟନ ଦାସଙ୍କ ଏକ ଦର୍ଶନୀୟ କ୍ୟାଚ ନେବା ପରେ ଭ୍ରମଣକାରୀ ଦଳର ସ୍କୋର ୨୬ ରନରେ ୩ ଉଇକେଟ ହରାଇ ସଂକଟରେ ପଡ଼ିଥିଲା। ଦଳ ପରେ ୪୩ ଓଭରରେ ୧୫୪ ସ୍କୋରରେ ଅଲଆଉଟ ହୋଇଯାଇଥିଲା। ବାଂଲାଦେଶ ପାଇଁ ମହମୁଦୁଲ୍ଲା ଏକ ଲମ୍ବା ଇନିଂସ ଖେଳିଥିଲେ। ସେ ୭୬ ରନ କରି ଅପରାଜିତ ରହିଥିଲେ। ନ୍ୟୁଜିଲାଣ୍ଡ ଦଳ ତରଫରୁ ଜିମି ନିଶାମ ଅନ୍ତର୍ଜାତୀୟ ଦିନିକିଆରେ ତାଙ୍କ ଶ୍ରେଷ୍ଠ ବୋଲିଂ ସହ ୨୭ ରନ ବିନିମୟରେ ୫ ଉଇକେଟ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡର ଆରମ୍ଭ ମଧ୍ୟ ଭଲ ନ ଥିଲା। ଦଳ ୧୧ତମ ଓଭରରେ ୫୭ରନ ସ୍କୋରରେ ୩ ଉଇକେଟ ହରାଇ ସାରିଥିଲା। ମାତ୍ର କନଓ୍ବେ ୧୧୦ ବଲ୍ର ଏକ ଇନିଂସ ଖେଳି ନ୍ୟୁଜିଲାଣ୍ଡ ଇନିଂସରେ ସୁଧାର ଆଣିଥିଲେ। ଡେଭନ କନଓ୍ବେ ଉଭୟ ପ୍ଲେୟର ଅଫ୍ ଦି ମ୍ୟାଚ ଓ ପ୍ଲେୟର ଅଫ୍ ଦି ସିରିଜ ବିବେଚିତ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ : ୫୦ ଓଭରରେ ୩୧୮/୬ (କନଓ୍ବେ-୧୨୬, ଡେରିଲ ମିଚେଲ-୧୦୦*, ମାର୍ଟିନ ଗୁପ୍ଟିଲ-୨୬; ରୁବେଲ ହୁସେନ-୩/୭୦)
ବାଂଲାଦେଶ : ୪୨.୪ ଓଭରରେ ୧୫୪/ ଅଲଆଉଟ, (ମହମୁଦୁଲ୍ଲା-୭୬*, ଲିିଟନ ଦାସ-୨୧, ମୁସ୍ଫିକର ରହିମ-୨୧, ଜେମ୍ସ ନିଶାନ-୫/୨୭, ମ୍ୟାଟ ହେନ୍ରୀ-୪/୨୭)।