ନୂଆଦିଲ୍ଲୀ,୧୪।୧: ରାଜକୋଟ ଗ୍ରାଉଣ୍ଡ ପୁଣିଥରେ ଟିମ୍ ଇଣ୍ଡିଆ ପାଇଁ ଦୁର୍ଭାଗ୍ୟଜନକ ସାବ୍ୟସ୍ତ ହେଲା। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଟିମ୍ ଇଣ୍ଡିଆର ଏକ ବଡ଼ ପରାଜୟ ହୋଇଛି । ୨୮୪ ରନ୍ କରିଥିବା ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ଠାରୁ ଏକପାଖିଆ ଭାବରେ ୭ ୱିକେଟରେ ପରାସ୍ତ ହେଲା। ଚମତ୍କାର ଶତକ ଖେଳିଥିବା ଡାରିଲ୍ ମିଚେଲ୍ ନ୍ୟୁଜିଲ୍ୟାଣ୍ଡର ବିଜୟ ଏବଂ ଭାରତର ପରାଜୟର ଏକ ପ୍ରମୁଖ କାରଣ । ତାଙ୍କ ବ୍ୟତୀତ ୱିଲ୍ ୟଙ୍ଗ୍ ମଧ୍ୟ ୮୭ ରନ୍ କରି ତାଙ୍କ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ଭାରତ ପାଇଁ କେଏଲ୍ ରାହୁଲ ଅପରାଜିତ ୧୧୨ ରନ୍ କରିଥିଲେ, କିନ୍ତୁ ତାଙ୍କର ଶତକ ବ୍ୟର୍ଥ ହୋଇଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ ।
୨୮୫ ରନର ଟାର୍ଗେଟ ପିଛା କରୁଥିବା ନ୍ୟୁଜିଲାଣ୍ଡର ଆରମ୍ଭ ମନ୍ଥର ଥିଲା। ଡେଭନ କନୱେ ଏବଂ ହେନରୀ ନିକୋଲ୍ସ କ୍ରିଜରେ ଫସି ରହିଥିଲେ । ତା’ପରେ ହର୍ଷିତ ରାଣା କନୱେକୁ ୧୬ ରନରେ ବୋଲ୍ଡ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ହେନରୀ ନିକୋଲ୍ସ ମଧ୍ୟ ପ୍ରସିଦ୍ଧ କୃଷ୍ଣଙ୍କ ଶିକାର ହୋଇଥିଲେ । ମନେ ହେଉଥିଲା ଭାରତ ମ୍ୟାଚ୍ ନିୟନ୍ତ୍ରଣ କରିବ, କିନ୍ତୁ ତା’ପରେ ଡାରିଲ ମିଚେଲ ଉଭା ହେଲେ । ସେ ୱିଲ ୟଙ୍ଗଙ୍କ ସହ ମିଶି ୧୫୨ ବଲ୍ ରେ ୧୬୨ ରନ୍ ର ଭାଗୀଦାରୀ କରିଥିଲେ, ଯାହା ମ୍ୟାଚ୍ କୁ ଭାରତର ହାତରୁ ସମ୍ପୂର୍ଣ୍ଣ ଛଡ଼ାଇ ନେଇଥିଲା। ଡାରିଲ ମିଚେଲ ୯୬ ବଲରେ ତାଙ୍କର ଶତକ ହାସଲ କରିଥିଲେ । ସେ ଭାରତ ବିପକ୍ଷରେ ତାଙ୍କର ଶେଷ ଚାରିଟି ଦିନିକିଆ ଇନିଂସ ମଧ୍ୟରୁ ତିନୋଟିରେ ଶତକ ହାସଲ କରିଛନ୍ତି ।