ଆଜି ଶପଥ ନେବେ ନୂଆ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୧୨ା୯: ଆଜି ଅର୍ଥାତ୍‌ ଶୁକ୍ରବାର ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ସି.ପି. ରାଧାକ୍ରିଷ୍ଣନ। ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଧାକ୍ରିଷ୍ଣନ୍‌ଙ୍କୁ ଶପଥ ପାଠ କରାଇବେ। ଆଜି ପୂର୍ବାହ୍ନ ୧୦.୩୦ରୁ ମଧ୍ୟାହ୍ନ ୧୨.୩୦ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହରେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନକର ସାମିଲ ହେବେ ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ସେହିପରି ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାର ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି।

ସୂଚନାଥାଉକି, ଗତକାଲି ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ରାଧାକ୍ରିଷ୍ଣନ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଉପରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍‌ ୪୫୨ ଭୋଟ ପାଇଛନ୍ତି। ଏହି ବିଜୟ ସହିତ, ରାଧାକୃଷ୍ଣନ ଦେଶର ଉପରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ।
ନୂଆଦିଲ୍ଲୀର ନୂତନ ସଂସଦ ଭବନରେ ମଙ୍ଗଳବାର ସକାଳ ୧୦ରୁ ସାଢ଼େ ୫ଟା ପର୍ଯ୍ୟନ୍ତ ନୂତନ ଉପରାଷ୍ଟ୍ରପତି ପାଇଁ ଭୋଟିଂ କରାଯାଇଥିଲା। ଏହା ପରେ, ଭୋଟ ଗଣନା କରାଯାଇଥିଲା, ଯେଉଁଥିରେ ରାଧାକ୍ରିଷ୍ଣନ୍‌ ବିଜୟୀ ହୋଇଥିଲେ। ଭାରତର ଉପରାଷ୍ଟ୍ରପତି ପଦ ପାଇଁ NDA ପ୍ରାର୍ଥୀ ରାଧାକ୍ରିଷ୍ଣନ୍‌ ଏବଂ ଇଣ୍ଡିଆ ବ୍ଲକ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ସୁଦର୍ଶନ ରେଡ୍ଡୀ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି।

ରାଧାକ୍ରିଷ୍ଣନ୍‌ ୩୧ ଜୁଲାଇ ୨୦୨୪ ରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଥିଲେ। ରାଜ୍ୟପାଳ ଥିବା ସମୟରେ, ସେ ଉଚ୍ଚଶିକ୍ଷା ଏବଂ ଗ୍ରାମୀଣ ବିକାଶର ଗୁଣବତ୍ତା ଉପରେ ଗୁରୁତ୍ୱ ଦେଇଥିଲେ। ମହାରାଷ୍ଟ୍ରର ରାଜ୍ୟପାଳ ହେବା ପୂର୍ବରୁ, ସେ ଝାଡ଼ଖଣ୍ଡ ଏବଂ ତେଲଙ୍ଗାନାର ରାଜ୍ୟପାଳର ଦାୟିତ୍ୱ ମଧ୍ୟ ଗ୍ରହଣ କରିଥିଲେ। ୧୯୯୮ରେ, ସେ ପ୍ରଥମ ଥର ପାଇଁ କୋଏମ୍ବାଟୁରରୁ ଲୋକସଭା ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ୧୯୯୯ ସେ ପୁଣି ଥରେ ଏମ୍‌ପି ହୋଇଥିଲେ। ସେ ଭାଜପାରେ ଅନେକ ପଦବୀରେ ରହିଥିଲେ। ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମ ୧୯୫୭ରେ ତାମିଲନାଡୁର ତିରୁପ୍ପୁରରେ ହୋଇଥିଲା। ସେ ବ୍ୟବସାୟ ପ୍ରଶାସନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।

 

Share