ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରରେ ପାଳନ କରୁଥିବାବେଳେ ପୂଜାରାଣୀ ବେହେରା କର୍କଟ ପୀଡିତଙ୍କ ପାଇଁ କେଶଦାନ କରିଛନ୍ତି । କର୍କଟ ପୀଡିତଙ୍କ ପାଇଁ ମାଗଣାରେ କେଶଦାନ କରିଆସୁଥିବା “ଶୋପଭା ସ୍ବେଚ୍ଛାସେବୀ ଅନୁଷ୍ଠାନ” ସହଯୋଗରେ “କେଶ ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ” ଅଭିଯାନରେ ସାମିଲ ହୋଇ କେଶ ଦାନ କରିଛନ୍ତି । ଯାଜପୁର ଜିଲ୍ଲା କୋରାଇ ବ୍ଲକ ଅନ୍ତର୍ଗତ ବନ୍ଦାଳୋ ପଂଚାୟତ ଚୌଧୁରୀ ପାଟଣା ଗାଁର ସନାତନ ବେହେରା ଓ ସାବିତ୍ରୀ ବେହେରାଙ୍କ ବଡ ଝିଅ ପୂଜାରାଣୀ 14 ଇଞ୍ଚ କେଶ ଦାନ କରିଛନ୍ତି । ତେବେ ଏଥିପାଇଁ “ଶୋପଭା” ଅନୁଷ୍ଠାନ ପକ୍ଷରୁ ପୂଜାରାଣୀଙ୍କୁ ପ୍ରଶଂସା କରାଯିବା ସହ ଏକ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ପୂଜାରାଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ମହାକାଳ ଫାଉଣ୍ଡେସନର ଜଣେ ସକ୍ରିୟ ସଦସ୍ୟ ହେବାସହ ଏବେ ସାହିତ୍ୟରେ ପିଜି କରୁଛନ୍ତି । ତେବେ କର୍କଟ ରୋଗୀଙ୍କ ପାଇଁ କେଶ ଦାନ କରି ତାଙ୍କ ମୁହଁରେ ହସ ଫୁଟାଇବାରେ ନିଜକୁ ନିୟୋଜିତ କରିଥିବାରୁ ଖୁବ ଖୁସି ଥିବା କହିଛନ୍ତି ପୂଜାରାଣୀ । ଏଥିପାଇଁ ପୂଜାରାଣୀ ଜୟ ମହାକାଳ ଫାଉଣ୍ଡେସନର ସମସ୍ତ ସଦସ୍ୟ ଏବଂ ଶୋପଭା ଟ୍ରଷ୍ଟର ମୁଖ୍ୟ ହରପ୍ରିୟା ନାୟକ ମ୍ୟାଡ଼ାମଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଏହି ମହତ କାର୍ଯ୍ୟପାଇଁ ପୂଜାରାଣୀଙ୍କୁ ଫାଉଣ୍ଡେସନର ସଦସ୍ୟ, ପରିବାରବର୍ଗ, ସାଙ୍ଗସାଥି ଏବଂ ଗ୍ରାମବାସୀ ପ୍ରଶଂସା କରିଛନ୍ତି ।

Share