କୋଟା କୋଚିଂ ସେଣ୍ଟରରେ ଆତ୍ମହତ୍ୟା ରୋକିବା ପାଇଁ ନୂଆ ନିୟମ: ନବମ ଶ୍ରେଣୀ ପରେ ମିଳିବ ନାମଲେଖା ସୁଯୋଗ…

ଜୟପୁର,୩୦।୯ : ରାଜସ୍ଥାନର କୋଟାର ଏଜୁକେଶନ ହବରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟାରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି। ନୂଆ ନିୟମ ଅନୁଯାୟୀ ଏବେ କୋଚିଂ ସେଣ୍ଟରରେ ନାମ ଲେଖା ନବମ ଶ୍ରେଣୀ ପରେ ହିଁ ହେବ।

କୋଚିଂରେ ସେଣ୍ଟରରେ ପ୍ରବେଶ ପୂର୍ବରୁ ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କର ସ୍କ୍ରିନିଂ ପରୀକ୍ଷା କରାଯିବ। ପରୀକ୍ଷାର ଫଳାଫଳ କେବଳ ଛାତ୍ରୀଛାତ୍ରଙ୍କୁ ଜଣାଇ ଦିଆଯିବ। ନୂଆ ବ୍ୟାଚର ସିଟିଂ ବ୍ୟବସ୍ଥା ପରୀକ୍ଷାର ନମ୍ବର ବଦଳରେ ନାମର ଅକ୍ଷର ଅନୁସାରେ କରାଯିବ।

ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟାରେ ରୋକ ଲଗାଇବା ପାଇଁ ଶିକ୍ଷା ବିଭାଗର ମୁଖ୍ୟ ସଚିବ ଭବାନୀ ସିଂ ଦେଠାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏହା ଅନ୍ତର୍ଗତ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ପାଇଁ ବାୟୋମେଟ୍ରିକ ପଦ୍ଧତି ସହିତ ଏଆଇର ବ୍ୟବସ୍ଥା କରାଯିବ।

କୋଚିଂ ସେଣ୍ଟରର ସମସ୍ତ ଛାତ୍ରୀଛାତ୍ରଙ୍କ ତଥ୍ୟ ସରକାରଙ୍କ ପାଖରେ ରହିବ। କୋଚିଂ ସେଣ୍ଟର ପ୍ରବେଶ ଗେଟ ପାଖରେ ଲାଇଭ ମନିଟରିଂ ସିଷ୍ଟମ ଲଗାଯିବ। ହଷ୍ଟେଲରେ କ୍ଷମତାଟାରୁ ଅଧିକ ସଂଖ୍ୟକ ଛାତ୍ରୀଛାତ୍ରଙ୍କୁ ଗ୍ରହଣ କରାଯିବ ନାହିଁ। ଗର୍ଲ ହଷ୍ଟେଲରେ ମହୀଳା ଓ୍ବାର୍ଡେନ ରହିବା ଅନିବାର୍ଯ୍ୟ ହେବ।