ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୪ରୁ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ତାରିଖ ଯାଏ ଏହା ଚାଲିବ। ଏଥର ଧନୁଯାତ୍ରା କଳାକାର ଚୟନ ହେଉଛି। ଏହି କ୍ରମରେ ଆସନ୍ତା ୧୭ ତାରିଖ ବରଗଡ଼ ବିଜୁ ପଟ୍ଟନାୟକ ଟାଉନ୍ ହଲ୍ରେ କଂସ କଳାକାର ଚୟନ କାର୍ଯ୍ୟକ୍ରମ ରହିଛି। ତେବେ ଚୟନ ପୂର୍ବରୁ କଂସ ଚରିତ୍ର ପାଇଁ ଆବେଦନ କରିଥିବା ହୃଷୀକେଶ ଭୋଇ ଏବଂ ଆର୍ତ୍ତତ୍ରାଣ ସୁନାନୀଙ୍କୁ ନିରାଶ ହେବାକୁ ପଡ଼ିଛି। ଆବେଦନ ଫର୍ମ ଯାଞ୍ଚ ପରେ ଉଭୟଙ୍କୁ ଚୟନ ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି। ମହାପ୍ରୟାଣ ଗାଡ଼ିରେ ଶବ ପରିବହନ ବାବଦକୁ ଟଙ୍କା ଦାବି ଅଭିଯୋଗକୁ ନେଇ ହୃଷୀକେଶଙ୍କ ବିରୋଧରେ କୋର୍ଟରେ ମାମଲା ବିଚାରାଧୀନ ରହିଛି ଅର୍ଥାତ୍ ସେ ଏହି ମାମଲାରୁ ଏପର୍ଯ୍ୟନ୍ତ ଦୋଷମୁକ୍ତ ହୋଇ ନ ଥିବାରୁ ତାଙ୍କୁ ଚୟନ ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି ବୋଲି ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ କହିଛନ୍ତି। ସେହିପରି ଆର୍ତ୍ତତ୍ରାଣଙ୍କ ବୟସ ୬୦ରୁ ଅଧିକ ହୋଇଥିବା ଯୋଗୁ ସେ ମଧ୍ୟ ଚୟନ ପ୍ରକ୍ରିୟାରୁ ବାଦ୍ ପଡ଼ିଥିବା ଶତପଥୀ ସୂଚନା ଦେଇଛନ୍ତି। ଏହା ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ହୃଷୀକେଶ ବରଗଡ଼ ଧନୁଯାତ୍ରା ମହୋତ୍ସବର ପୂର୍ବତନ କଂସ ଅଭିନେତା। ସେ ଅନେକଥର ଏହି ମହୋତ୍ସବରେ ଅଭିନୟ କରିସାରିଛନ୍ତି। ତେବେ ବିଭିନ୍ନ ଘଟଣାକ୍ରମରେ ତାଙ୍କୁ ଏକାଧିକ ଥର ବିବାଦୀୟ ହେବାକୁ ମଧ୍ୟ ପଡ଼ିଛି। ବରଗଡ଼ ଧନୁଯାତ୍ରା ମହୋତ୍ସବର କଂସ ଅଭିନେତା ଅନ୍ୟ କୌଣସି ସ୍ଥାନରେ କଂସ ଅଭିନୟ କରିପାରିବେ ନାହିଁ ବୋଲି କଟକଣା ରହିଛି। ମାତ୍ର ହୃଷୀକେଶ ଧର୍ମଶାଳା ମହୋତ୍ସବରେ ଏକଦା କଂସ ଅଭିନୟ କରି ବିବାଦୀୟ ହୋଇ ପଡ଼ିଥିଲେ। ତେବେ ସେତେବେଳେ ସେ ନିଜ ଭୁଲ୍ ସ୍ବୀକାର କରିବା ସହିତ କ୍ଷମାପ୍ରାର୍ଥନା କରିଥିଲେ ଏବଂ ଏହାପରେ ତାଙ୍କୁ କଂସ ଅଭିନୟ ସୁଯୋଗ ମିଳିଥିଲା। ଅନ୍ୟପଟେ ଜିଲା ସ୍ବାସ୍ଥ୍ୟ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ହୃଷୀକେଶ ଗତ ଧନୁଯାତ୍ରା ମହୋତ୍ସବର ଅବ୍ୟବହିତ ପୂର୍ବରୁ ଜଣେ ମୃତକଙ୍କ ଶବକୁ ମହାପ୍ରୟାଣ ଗାଡ଼ିରେ ପରିବହନ ବାବଦକୁ ଟଙ୍କା ଦାବି କରିବା ଅଭିଯୋଗରେ ଛନ୍ଦି ହୋଇପଡ଼ିଥିଲେ। ଜିଲା ସ୍ବାସ୍ଥ୍ୟ ବିଭାଗ ସେତେବେଳେ ତାଙ୍କୁ ନିଲମ୍ବନ କରିଥିଲା। ଏହା ସହିତ ଭଟ୍ଲି ଥାନାରେ ହୃଷୀକେଶଙ୍କ ବିରୋଧରେ ଏତଲା ମଧ୍ୟ ଦିଆଯାଇଥିଲା। ତେବେ ନିଲମ୍ବନ ଆଦେଶ ଉଠିଥିଲେ ହେଁ କୋର୍ଟରେ ଏହି ମାମଲା ବିଚାରାଧୀନ ରହିଛି। ଏହି ଦୃଷ୍ଟିରୁ ହୃଷୀକେଶଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ ନ କରିବାକୁ ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘ ମଧ୍ୟ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼ ଜିଲାପାଳଙ୍କଠାରେ ଦାବି କରିଥିଲା।
ଅନ୍ୟପଟେ ଆର୍ତ୍ତତ୍ରାଣ ଜଣେ ପୁରୁଖା କଳାକାର। ସେ ବରଗଡ଼ ଧନୁଯାତ୍ରାରେ ଏପର୍ଯ୍ୟନ୍ତ କଂସ ଅଭିନୟ କରିବାର ସୁଯୋଗ ପାଇପାରିନାହାନ୍ତି। ମାତ୍ର ଏହି ମହୋତ୍ସବରେ ଅଭିନୟ ସୁଯୋଗ ମିଳିବାର ଆଶା ନେଇ ସେ କେବଳ ଏଥର ନୁହେଁ, ବିଗତବର୍ଷଗୁଡ଼ିକରେ ହୋଇଥିବା ଚୟନ ପ୍ରକ୍ରିୟାରେ ଭାଗ ନେଇ ଆସିଛନ୍ତି। ଚୟନ ପ୍ରକ୍ରିୟାସ୍ଥଳରେ ସ୍ଥାନୀୟ ଲୋକେ ତାଙ୍କ କଂସ ଅଭିନୟ ଦେଖିଆସିଛନ୍ତି। ତାଙ୍କୁ ସେତେବେଳେ କଂସ ଅଭିନୟର ସୁଯୋଗ ମିଳି ନ ଥିଲା ସତ, କିନ୍ତୁ ଦିନେନା ଦିନେ ତାଙ୍କ ଅଭିନୟ ପାଇଁ ଆର୍ତ୍ତତ୍ରାଣଙ୍କୁ ବରଗଡ଼ ଧନୁଯାତ୍ରାର କଂସଭାବେ ଦେଖିବାକୁ ମିଳିବ ବୋଲି କିଛିଲୋକ ମନରେ ମଧ୍ୟ ଆଶା ବାନ୍ଧିଥିଲେ। ହେଲେ ତାଙ୍କ ବୟସ ୬୦ରୁ ଅଧିକ ହୋଇଥିବାରୁ ଆବେଦନ ଫର୍ମ ଯାଞ୍ଚ ପରେ ଆର୍ତ୍ତତ୍ରାଣ ଏବଂ ତାଙ୍କ ଶୁଭେଚ୍ଛୁମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଏବେ ଚୟନ ପ୍ରକ୍ରିୟାରେ ଭାଗନେବା ପାଇଁ ୪୪ଜଣ କଳାକାର ରହିଛନ୍ତି। ସୂଚନା ଯେ, ସେମାନଙ୍କ ମଧ୍ୟରୁ ଜଣଙ୍କୁ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଅଭିନୟ କରିବାର ସୁଯୋଗ ମିଳିବ।