Categories: Home Leftଖେଳ

ନେଦରଲାଣ୍ଡ୍ସ ୭ ଉଇକେଟରେ ବିଜୟୀ: ସୁପର-୮ ଆଶା ଉଜ୍ଜୀବିତ

ନୂଆଦିଲ୍ଲୀ, ୧୦ା୨: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ‘ଏ’ ମ୍ୟାଚରେ ନେଦରଲାଣ୍ଡ୍ସ ୭ ଉଇକେଟରେ ନାମିବିୟାକୁ ହରାଇ ଦେଇଛି।

ପ୍ରଥମ ମ୍ୟାଚରେ ପାକିସ୍ତାନଠାରୁ ୩ ଉଇକେଟରେ ପରାଜିତ ହେବା ପରେ ମଙ୍ଗଳବାର ଏହି ସହଜ ବିଜୟ ଦଳର ସୁପର-୮ ଆଶାକୁ ଉଜ୍ଜୀବିତ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ନାମିବିୟା ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୧୫୬ ରନ କରିଥିଲା।

ଜାନ୍‌ ନିକୋଲ ଲଫ୍ଟି-ଇଟନ ୩୮ ବଲ୍‌ରୁ ୪୨ ରନ୍‌ ଏବଂ ଜାନ୍‌ ଫ୍ରାଏଲିଙ୍କ ୨୬ ବଲ୍‌ରୁ ୩୦ ରନ କରିଥିଲେ। ଅଧିନାୟକ ଗେରହାର୍ଡ ଇରାସମସ ୯ ବଲ୍‌ରୁ ୧୮ ଏବଂ ଜେ.ଜେ. ସ୍ମିଥ୍‌ ୧୫ ବଲ୍‌ରୁ ୨୨ ରନ୍‌ କରିଥିଲେ। ନେଦରଲାଣ୍ଡ୍ସ ପକ୍ଷରୁ ଲୋଗାନ ଭାନ୍‌ ବିକ୍‌ ଓ ବାସ୍‌ ଡି’ ଲିଡ୍‌ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଜବାବରେ ନେଦରଲାଣ୍ଡ୍ସ ବାସ୍‌ ଡି’ ଲିଡ୍‌ଙ୍କ ଅପରାଜିତ ୭୨ ରନ ସହାୟତାରେ ୧୮ ଓଭରରେ ୩ ଉଇକେଟ ବିନିମୟରେ ୧୫୯ ରନ୍‌ କରି ମ୍ୟାଚ୍‌ ବିଜୟ ହୋଇଥିଲା।