ହେକ୍ସାଗନ୍‌ ମେଣ୍ଟରେ ଭାରତ ସାମିଲ ନେଇ ନେତାନ୍ୟାହୁ ଆଶାବାଦୀ

ତେଲ୍‌ ଆଭିଭ୍‌,୨୫ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇସ୍ରାଏଲ ଗସ୍ତରେ ଯିବେ। ତାଙ୍କର ଗସ୍ତ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ମୋଦିଙ୍କୁ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ବୋଲି କହିବା ସହିତ ଭାରତକୁ ଏକ ବିଶ୍ୱଶକ୍ତି ଭାବେ ଅଭିହିତ କରିଛନ୍ତି। ଏହାଛଡ଼ା ମୋଦିଙ୍କ ଏହି ଗସ୍ତ ନେତାନ୍ୟାହୁଙ୍କ ନୂଆ ହେକ୍ସାଗନ୍‌ (ଷଡ଼ଭୂଜ ରାଷ୍ଟ୍ର)ମେଣ୍ଟ ପାଇଁ ବହୁ ଗୁରୁତ୍ୱ ବହନ କରୁଛି ବୋଲି ନେତାନ୍ୟାହୁ କହିଛନ୍ତି। କଠୋରବାଦ ଚିନ୍ତାଧାରାକୁ ପ୍ରତିହତ କରି ମଧ୍ୟପ୍ରାଚ୍ୟରେ ବାଣିଜ୍ୟ ଏବଂ ଉତ୍ତମ କୂଟନୈତିକ ସମ୍ପର୍କ ପ୍ରତିଷ୍ଠା କରିବା ଲାଗି ସେ ଭାରତ ସମେତ ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକାର କେତେକ ରାଷ୍ଟ୍ରଙ୍କୁ ଏହି ମେଣ୍ଟରେ ଯୋଡ଼ିବାକୁ ପରିକଳ୍ପନା କରିଛନ୍ତି। ପୂର୍ବରୁ ଇଣ୍ଡିଆ-ମିଡିଲ୍‌ ଇଷ୍ଟ-ୟୁରୋପ ଇକୋନୋମିକ୍‌ କରିଡର୍‌(ଆଇମେକ୍‌)କୁ ପରିକଳ୍ପନା କରାଯାଇଥିଲା ବେଳେ ଏହି ନୂତନ ପରିକଳ୍ପନା ମଧ୍ୟ ମଧ୍ୟପ୍ରାଚ୍ୟକୁ ୟୁରୋପ ସହ ଯୋଡିବ ବୋଲି ନେତାନ୍ୟାହୁ କହିଛନ୍ତି। ତେବେ ଏଥିରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ଏକ ପ୍ରମୁଖ ଅଂଶୀଦାର ହେବାନେଇ ସେ ଆଶାବ୍ୟକ୍ତ କରିଛନ୍ତି।

Dharitri – Odisha’s No.1 Odia Daily

Share