ଦିଗପହଣ୍ଡି, ୨୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ଼ ଗୋବିନ୍ଦପୁର ପଞ୍ଚାୟତ କଳିଙ୍ଗଦୋଳା ଗ୍ରାମରେ ନରହରି ସେଠୀ ନାମକ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ତାଙ୍କ ପୁତୁରା ମଦନ ସେଠୀଙ୍କୁ ଗିରଫ କରାଯାଇଛି। କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍ଆଇ ଜଗବନ୍ଧୁ ବାର୍ଲା ତାଙ୍କୁ ଗିରଫ କରିବା ପରେ ଶୁକ୍ରବାର କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୩୭୧/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ସୂଚନାନୁଯାୟୀ, ପାରିବାରିକ ଶତ୍ରୁତାକୁ କେନ୍ଦ୍ରକରି ଗୁରୁବାର ଅପରାହ୍ନ ପ୍ରାୟ ସାଢ଼େ ୩ ଟାରେ ନରହରି ଖାଇସାରି ଘରେ ବସିଥିବା ବେଳେ ମଦନ, ତାଙ୍କ ବାପା ଅକ୍ରୁର ଏବଂ ମା’ ମଲ୍ଲୀ ସେଠୀ ସମସ୍ତେ ତାଙ୍କ ଘର ସମ୍ମୁଖକୁ ଆସି ଆପତ୍ତି ଜନକ ଭାଷାରେ ଗାଳି କରିଥିଲେ। ନରହରୀଙ୍କ ସ୍ତ୍ରୀ ପଦ୍ମାବତୀ ପ୍ରତିବାଦ କରିବାରୁ ମଦନ ଘର ଭିତରେ ପଶି ନରହରୀଙ୍କୁ ଠେଙ୍ଗାରେ ନିସ୍ତୁକ ମାଡ଼ ମାରି ଚମ୍ପଟ ମାରିଥିଲେ। ପଦ୍ମାବତୀ ଏନେଇ କେ. ନୂଆଗାଁ ଥାନାରେ ଏତଲା ଦେବାପରେ ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ନୂଆପଡ଼ା ଫାଣ୍ଡି ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।
Dharitri – Odisha’s No.1 Odia Daily