Nepal Violence: Gen-Z ପ୍ରଦର୍ଶନ ସାମ୍ନାରେ କାହିଁକି ମୁଣ୍ଡ ନୁଆଁଇଲେ ନେପାଳ ସରକାର? ସାମ୍ନାକୁ ଆସିଲା ଅସଲ କାରଣ

କାଠମାଣ୍ଡୁ,୯।୯: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ସୋମବାର (ସେପ୍ଟେମ୍ବର ୮)ରେ ସାରା ଦେଶରେ ଘଟିଥିବା ବିଶାଳ ପ୍ରତିବାଦ ଏବଂ ହିଂସା ଉପରେ ଗଭୀର ଦୁଃଖ ପ୍ରକାଶ କରି ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆଜି Gen-Z ପିଢ଼ି ଦ୍ୱାରା ଡାକରା ଦିଆଯାଇଥିବା ପ୍ରତିବାଦ ସମୟରେ ଘଟିଥିବା ଦୁଃଖଦ ଘଟଣା ପାଇଁ ମୁଁ ଗଭୀର ଦୁଃଖିତ। ଆମେ ବିଶ୍ୱାସ କରୁଥିଲୁ ଯେ ଆମର ଯୁବପିଢ଼ି ଶାନ୍ତିପୂର୍ଣ୍ଣ ଭାବରେ ସେମାନଙ୍କର ଦାବି ଉପସ୍ଥାପନ କରିବେ, କିନ୍ତୁ ଦୁର୍ଭାଗ୍ୟବଶତଃ କିଛି ସ୍ବାର୍ଥପର ତତ୍ତ୍ୱଙ୍କ ଅନୁପ୍ରବେଶ ଯୋଗୁ ପରିସ୍ଥିତି ଆହୁରି ଖରାପ ହୋଇଗଲା ଏବଂ ଆମର ନାଗରିକମାନେ ପ୍ରାଣ ହରାଇଲେ। ଏହା ଅତ୍ୟନ୍ତ ଦୁଃଖଦ।
ପ୍ରଧାନମନ୍ତ୍ରୀ ଓଲି ସ୍ପଷ୍ଟ କରିଛନ୍ତି ଯେ ସରକାର କେବେବି ସୋସିଆଲ ମିଡିଆକୁ ନିଷିଦ୍ଧ କରିବା ପକ୍ଷରେ ନଥିଲେ ଏବଂ ଦେଶରେ ଏହାର ବ୍ୟବହାର ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପରିବେଶ ସୃଷ୍ଟି କରିବେ। ସେ କହିଛନ୍ତି, ‘ଏଥିପାଇଁ ନିରନ୍ତର ପ୍ରଦର୍ଶନ କରିବାର କୌଣସି ଆବଶ୍ୟକତା ନଥିଲା। ଏବେ ଏହି ପରିସ୍ଥିତିକୁ ଆହୁରି ବଢ଼ିବାକୁ ଦିଆଯିବ ନାହିଁ।’ ସେ ଆଶ୍ୱାସନା ଦେଇଛନ୍ତି ଯେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ସେ ଆହୁରି କହିଛନ୍ତି, ‘ମୁଁ ଦେଶର ଲୋକମାନଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ଏକ ତଦନ୍ତ କମିଟି ଗଠନ କରାଯିବ, ଯାହା ଆଜିର ଘଟଣା, ହୋଇଥିବା କ୍ଷତି, ପରିସ୍ଥିତି ଏବଂ ଏହାର କାରଣଗୁଡ଼ିକର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବ। ଏହି କମିଟି ୧୫ ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ ଏବଂ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ପରାମର୍ଶ ଦେବ।’
ପ୍ରଧାନମନ୍ତ୍ରୀ ଓଲି ଯୁବପିଢ଼ି ଏବଂ ନାଗରିକମାନଙ୍କୁ ଶାନ୍ତି ବଜାୟ ରଖିବା ଏବଂ ହିଂସାରୁ ଦୂରେଇ ରହିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ସରକାର ଲୋକଙ୍କ ସ୍ବର ଶୁଣିବା ଏବଂ ସେମାନଙ୍କ ସମସ୍ୟାର ସମାଧାନ ଖୋଜିବା ପାଇଁ ପ୍ରତିବଦ୍ଧ।

 

Share