ନୂଆଦିଲ୍ଲୀ,୫।୯: ନେପାଳ ସରକାର ଗୁରୁବାର ଏକ ବଡ଼ ପଦକ୍ଷେପ ନେଇ ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଓ ଏକ୍ସ ସମେତ ୨୬ଟି ସୋସିଆଲ ମିଡିଆ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ନେପାଳର ଜନତା ଏବେ ଏହି ପ୍ଲାଟଫର୍ମଗୁଡ଼ିକୁ ବ୍ୟବହାର କରିପାରିବେ ନାହିଁ। ସରକାର ଏହି କମ୍ପାନୀମାନଙ୍କୁ ନେପାଳରେ ନିଜକୁ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପଞ୍ଜୀକରଣ ନ କରିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ, ଅନେକେ ଏହି ନିଷ୍ପତ୍ତିକୁ ମୁକ୍ତ ବାକ ସ୍ୱାଧୀନତା ଉପରେ ଅଙ୍କୁଶ ବୋଲି ସମାଲୋଚନା କରିଛନ୍ତି।
ନେପାଳର ସୂଚନା ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ କହିଛନ୍ତି ଯେ ସର୍ବାଧିକ ବ୍ୟବହୃତ ୨୪ଟି ସୋସିଆଲ ମିଡିଆ କମ୍ପାନୀକୁ ବାରମ୍ବାର ନୋଟିସ ପଠାଇ ନେପାଳରେ ପଞ୍ଜୀକରଣ କରିବାକୁ କୁହାଯାଇଥିଲା, କିନ୍ତୁ ସେମାନେ ତାହା ପାଳନ କରିନଥିଲେ। ଫଳରେ, ଏହି ପ୍ଲାଟଫର୍ମଗୁଡ଼ିକୁ ତୁରନ୍ତ ବ୍ୟାନ କରାଯାଉଛି। ମନ୍ତ୍ରାଳୟ ନେପାଳ ଟେଲିକମ୍ୟୁନିକେସନ ଅଥରିଟିକୁ ଏହି ସାଇଟଗୁଡ଼ିକୁ ପଞ୍ଜୀକରଣ ନ ହେବା ପର୍ଯ୍ୟନ୍ତ ଅବରୋଧ ରଖିବାକୁ ନିର୍ଦ୍ଦେଶ ଦେଇଛି। ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀମାନଙ୍କୁ ୨୮ ଅଗଷ୍ଟ ପର୍ଯ୍ୟନ୍ତ ପଞ୍ଜୀକରଣ ପାଇଁ ସମୟ ଦିଆଯାଇଥିଲା, କିନ୍ତୁ ଏକ ସପ୍ତାହ ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି।
ମନ୍ତ୍ରୀ ଗୁରୁଙ୍ଗ କହିଛନ୍ତି ଯେ ଟିକଟକ ଓ ଭାଇବର ସମେତ ପାଞ୍ଚଟି କମ୍ପାନୀ ନେପାଳରେ ପଞ୍ଜୀକରଣ କରିସାରିଛନ୍ତି, ତେଣୁ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ଉଲ୍ଲେଖଯୋଗ୍ୟ, ୨୦୨୩ରେ ନେପାଳ ଟିକଟକ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିଲା, କିନ୍ତୁ କମ୍ପାନୀ ପଞ୍ଜୀକରଣ ପାଇଁ ରାଜି ହେବା ପରେ ୨୦୨୪ରେ ଏହି ବ୍ୟାନ ଉଠାଇ ନିଆଯାଇଥିଲା।
ଏହି ବ୍ୟାନକୁ ନେଇ ନେପାଳ ସରକାରଙ୍କୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ୁଛି। ଆଲୋଚକମାନେ କହୁଛନ୍ତି ଯେ ସରକାର ବିରୋଧୀ ମତକୁ ଦବାଇବା ପାଇଁ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଛନ୍ତି। ଏହାସହ, କେତେକ ସର୍ତ୍ତ ଏତେ କଠୋର ଯେ ସେଗୁଡ଼ିକର ପାଳନ କରିବା କଷ୍ଟକର। ଅନେକେ ମଧ୍ୟ ମତ ଦେଇଛନ୍ତି ଯେ ଏହା ନେପାଳର ଅନ୍ତର୍ଜାତୀୟ ଛବି ଉପରେ ନକାରାତ୍ମକ ପ୍ରଭାବ ପକାଇବ।