ଭଞ୍ଜନଗର,୧୬ା୧୧: ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ‘ନେହେରୁଙ୍କ ପରିକଳ୍ପିତ ଭାରତ, କେତେ ବାସ୍ତବ’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ନିରଞ୍ଜନ ପ୍ରଧାନ ସଭାପତିତ୍ୱ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ସଂଗୀତ ଗୁରୁ ଅଶୋକ କୁମାର ମହାପାତ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ ଯୋଗଦେଇ ନେହେରୁଙ୍କୁ ଜଣେ ବିଦ୍ୱାନ, ବିଜ୍ଞ ରାଜନୀତିଜ୍ଞ ଓ ଉତ୍ସର୍ଗୀକୃତ ସ୍ବାଧୀନତା ସଂଗ୍ରାମୀ ବୋଲି କହିବା ସହିତ ସ୍ବାଧୀନତାପ୍ରାପ୍ତି ପରେ ସମ୍ବିଧାନ ପ୍ରଣୟନ, ସୁସ୍ଥ ସମାଜ ଗଠନ, ରାଜନୈତିକ ସମସ୍ୟା ସମାଧାନ ଦିଗରେ ତାଙ୍କର ଦକ୍ଷତାକୁ ଭୂୟସୀ ପ୍ରଶଂସା କରିଥିଲେ।
ସମ୍ମାନିତ ଅତିଥି ତଥା ବରିଷ୍ଠ ଆଇନଜୀବୀ ବୈଦ୍ୟନାଥ ସାହୁ, ଅଧ୍ୟାପିକା ସୁଜାତା ସିଂ ନେହେରୁଙ୍କ ଧର୍ମନିରପେକ୍ଷ ନୀତି, ଶିଶୁ ପ୍ରୀତି ଓ ଅର୍ଥନୀତି ଉପରେ ଆଲୋକପାତ କରିବା ସହିତ ସେ ଜଣେ ବିଜ୍ଞ, ବିଚକ୍ଷଣ ବୁଦ୍ଧିସମ୍ପନ୍ନ ଲେଖକ ବୋଲି କହିଥିଲେ। ମୁଖ୍ୟବକ୍ତା ପ୍ରାକ୍ତନ ପ୍ରାଧ୍ୟାପକ ରବୀନ୍ଦ୍ର ନାଥ ପାଳ, ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବାର ଆସୋସିଏଶନର ସଭାପତି ଅଭିମନ୍ୟୁ ଗୌଡ଼, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପଦ୍ମଚରଣ ପ୍ରଧାନ ଓ ସଂଗୀତ ଗୁରୁ ଅଶୋକ କୁମାର ମହାପାତ୍ର ଆଲୋଚନାରେ ଅଂଶଗ୍ରହଣ କରି ସ୍ବାଧୀନତା ଆନ୍ଦୋଳନରେ ନେହେରୁଙ୍କ ଅବଦାନ ଅବର୍ଣ୍ଣନୀୟ ବୋଲି କହିଥିଲେ।
ଉକ୍ତ କ କାର୍ଯ୍ୟକ୍ରମରେ ଉଲା ସେଠୀ, ଯୁବ କଂଗ୍ରେସ ନେତା ସୁକାନ୍ତ କୁମାର ଦିଗାଲ, ଶିକ୍ଷକ ଭଞ୍ଜ କିଶୋର ପ୍ରଧାନ, ପ୍ରସନ୍ନ କୁମାର ତ୍ରିପାଠୀ, ଅବସରପ୍ରାପ୍ତ ମୁଖ୍ୟ କିରାଣି ତାରିଣୀ ଚରଣ ନାୟକ, ବରିଷ୍ଠ ସରକାରୀ ଆଇନଜୀବୀ ରଞ୍ଜିତ କୁମାର ତ୍ରିପାଠୀ, ପ୍ରତାପ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଯୁଧିଷ୍ଠିର ଗୌଡ଼, ଭାସ୍କର ସାମଲ, ସୁରେନ୍ଦ୍ର ବେହେରା ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ସମ୍ପାଦକ ଭଞ୍ଜ କିଶୋର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
Dharitri – Odisha’s No.1 Trusted Odia Daily