ହାଇଦ୍ରାବାଦ,୨୯ା୩: ବୃଦ୍ଧ ମାତାପିତାଙ୍କ ପ୍ରତି ଯତ୍ନ ଏବଂ ପରିଣତ ବୟସରେ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ସାମାଜିକ ଦାୟିତ୍ୱବୋଧକୁ ତେଲଙ୍ଗାନା ସରକାର ଗୁରୁତ୍ୱ ଦେଇ ରବିବାର ଏକ ଐତିହାସିକ ବିଲ୍କୁ ଅନୁମୋଦନ ଦେଇଛନ୍ତି। ‘ତେଲଙ୍ଗାନା ଏମ୍ପ୍ଲଇଜ୍ ଆକାଉଣ୍ଟେବିଲିଟି ଆଣ୍ଡ୍ ମନିଟରିଂ ଅଫ୍ ପାରେଣ୍ଟିଆଲ ସପୋର୍ଟ ବିଲ୍-୨୦୨୬’ ନାମରେ ଅଣାଯାଇଥିବା ବିଲ୍ ବିଧାନସଭାରେ ବହୁମତରେ ପାରିତ ହୋଇଛି। ଏହି ବିଲ୍ ଅନୁସାରେ ଯଦି କୌଣସି ସରକାରୀ କର୍ମଚାରୀ ତାଙ୍କ ମାଆବାପାଙ୍କ ଯତ୍ନ ନେଉ ନ ଥିବା ଅଭିଯୋଗ ହୁଏ ତେବେ ତାଙ୍କ ଦରମାର ୧୫% କିମ୍ବା ୧୦ ହଜାର(ଯେଉଁଟା ସର୍ବନିମ୍ନ ହେବ) ଟଙ୍କା ସରକାର କାଟିଦେବେ। ଅନ୍ୟପକ୍ଷରେ ପିଲାମାନଙ୍କଠାରୁ ଆର୍ଥିକ ସହାୟତା ପାଉ ନ ଥିବା ଅଭିଭାବକ ଜିଲ୍ଲାପାଳ କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷ ଓ ବରିଷ୍ଠ ନାଗରିକ ଆୟୋଗଙ୍କ ନିକଟରେ ଆବେଦନ କରି ସହାୟତା ପାଇପାରିବେ। ପିଲାମାନଙ୍କ ଉପରେ ନିର୍ଭରଶୀଳ ବୃଦ୍ଧ ମାଆବାପାଙ୍କ ପ୍ରତି ଯତ୍ନ ଏବଂ ଆର୍ଥିକ ଦିଗକୁ ନିଶ୍ଚିତ କରିବା ଲାଗି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଏ. ରେଭନ୍ତ ରେଡ୍ଡି କହିଛନ୍ତି, ବୃଦ୍ଧ ମାଆବାପାଙ୍କ ଯତ୍ନ ଲାଗି ବ୍ୟକ୍ତିଗତ ସ୍ତରରେ ନିଶ୍ଚିତ କରିବାକୁ ହେବ। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ଉତ୍ତରଦାୟିତ୍ୱ ରହିଛି। ବାପାମାଆଙ୍କ ପ୍ରତି ରହିଥିବା ଏହି ସାମାଜିକ ଦାୟିତ୍ୱବୋଧକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉକ୍ତ ବିଲ୍ ଆଣିଛନ୍ତି।