ପଦୋନ୍ନତିରେ ଅବହେଳା: ଧାରଣାରେ ବସିଲେ ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟକର୍ମୀ

ନୂଆପଡ଼ା,୧୮ା୮ (ମକାରୁ ବେମାଲ): ପଦୋନ୍ନତିରେ ଅବହେଳା କରାଯାଉଥିବା ଅଭିଯୋଗ କରି ନୂଆପଡ଼ା ଜିଲାରେ କାର୍ଯ୍ୟରତ ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟକର୍ମୀ ମଙ୍ଗଳବାରଠାରୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ସେମାନଙ୍କ ଅଭିଯୋଗକ୍ରମେ ୧୬ ବର୍ଷ ହେବ ଜିଲାରେ ୯୨ ଜଣ ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟକର୍ମୀ ସ୍ବାସ୍ଥ୍ୟସେବା ଯୋଗାଇଆସୁଛନ୍ତି। ହେଲେ ସରକାର ସେମାନଙ୍କୁ ଲେଭଲ ୨ରୁ ଲେଭଲ ୧କୁ ପଦୋନ୍ନତି ଦେବାରେ ଅବହେଳା କରୁଛନ୍ତି। ୨୦୨୪ ଡିସେମ୍ବର ୨୧ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚିଠିସଂଖ୍ୟା ୩୫୦୦୨ରେ ସମସ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ଏଥିରେ ଜାନୁଆରୀ ଶେଷ ସୁଦ୍ଧା ଡିପିସି ବୈଠକ କରି ସେମାନଙ୍କୁ ପଦୋନ୍ନତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ଜୁଲାଇ ୨୯ରେ ଡିପିସି ବୈଠକ ହୋଇଥିଲେ ମଧ୍ୟ ପଦୋନ୍ନତି ଉପରେ ଆଲୋଚନା ହୋଇ ନ ଥିବା ଜଣାପଡିଛି। ବର୍ତ୍ତମାନ ରାଜ୍ୟର ୨୯ ଜିଲାରେ ସ୍ବାସ୍ଥ୍ୟ କର୍ମୀତ୍‌ମାନେ ପଦୋନ୍ନତି ହୋଇ ସାରିଛନ୍ତି। କିନ୍ତୁ ନୂଆପଡା ଜିଲାରେ ପ୍ରଶାସନିକ ଅବହେଳା ଯୋଗୁ ହୋଇ ପାରୁନାହିଁ। ଏହାର ପ୍ରତିବାଦରେ ସେମାନେ ଧାରଣାରେ ବସିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣାରେ ବସିବୁ ବୋଲି କର୍ମକର୍ତ୍ତା ଚେତାଇ ଦେଇଛନ୍ତି। ଧାରଣାରେ ଜିଲା ସଭାପତି ବିକାଶ କୁମାର ସିଂ, ସମ୍ପାଦକ ସୁନୀଳ କୁମାର ଅଗସ୍ତି, ରାଜ୍ୟ ସମ୍ପାଦକ ଶ୍ରୀନିବାସ ସାହୁ, ଗୌରାଙ୍ଗ ଶବର, ମଳୟ ଖମାରୀ, ଗିରିଧାରୀ ଲାଲ ଦେବାଙ୍ଗନ, ଅମିତ ସିଂଦେଓ, ଜିତେଶ କୁମାର ପଣ୍ଡା, ଝାଲି କୁମାର ମାଝି, ସୌମ୍ୟରଞ୍ଜନ ପାଢୀ ପ୍ରମୁଖ ସାମିଲ ହୋଇଛନ୍ତି।