Categories: Home Leftଖେଳ

ନୀରଜ ବିଶ୍ୱର ଶ୍ରେଷ୍ଠ ଜାଭେଲିନ୍‌ ଥ୍ରୋୟର

ନୂଆଦିଲ୍ଲୀ, ୧୧ା୧ (ପି.ଟି.): ଭାରତର ପ୍ୟାରିସ ଅଲିମ୍ପିକ୍ସ ରୌପ୍ୟ ବିଜେତା ନୀରଜ ଚୋପ୍ରା ଆମେରିକାର ବିଶ୍ୱ ପ୍ରସିଦ୍ଧ ‘ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ନ୍ୟୁଜ୍‌’ ମାଗାଜିନ୍‌ ଦ୍ୱାରା ୨୦୨୪ ବର୍ଷ ପାଇଁ ବିଶ୍ୱର ଶ୍ରେଷ୍ଠ ପୁରୁଷ ଜାଭେଲିନ୍‌ ଥ୍ରୋୟର ବିବେଚିତ ହୋଇଛନ୍ତି। ଗତବର୍ଷ ଅଗଷ୍ଟରେ ୨୭ ବର୍ଷୀୟ ଚୋପ୍ରାଙ୍କୁ ପରାସ୍ତ କରି ପାକିସ୍ତାନର ଅର୍ଶାଦ ନଦୀମ ଅଲିମ୍ପିକ ସ୍ବର୍ଣ୍ଣ ପଦକ ଜିତିଥିଲେ। କାଲିଫର୍ନିଆରୁ ପ୍ରକାଶିତ ଏହି ମାଗାଜିନ୍‌ରେ ୨୦୨୪ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଚୋପ୍ରା ଦୁଇଥର ବିଶ୍ୱ ଚାମ୍ପିୟନ ଗ୍ରେନେଡାର ଆଣ୍ଡରସନ ପିଟର୍ସକୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରି ନେଇଛନ୍ତି। ର଼୍ୟାଙ୍କିଙ୍ଗ ତାଲିକାରେ ନଦୀମ ୫ମ ସ୍ଥାନରେ ରହିଛନ୍ତି। ୨୦୨୪ରେ ଅଲିମ୍ପିକ ଗେମ୍ସ ବ୍ୟତୀତ ସେ ଆଉ ମାତ୍ର ଗୋଟିଏ ଇଭେଣ୍ଟରେ ଭାଗ ନେଇଛନ୍ତି। ଅଲିମ୍ପିକ୍ସରେ ସେ ୯୨.୯୭ ମିଟର ଥ୍ରୋ କରିଥିବା ବେଳେ ଚୋପ୍ରା ୮୯.୪୫ମିଟର ଥ୍ରୋ କରିପାରିଥିଲେ।

Share