ନୀରଜ ଚୋପ୍ରାଙ୍କୁ ଧୋନୀଙ୍କ ଭଳି ସମ୍ମାନ: ଭାରତୀୟ ସେନାରେ ହେଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ

ନୂଆଦିଲ୍ଲୀ,୨୨।୧୦: ଭାରତର ଗୋଲ୍ଡେନ୍‌ ବୟ ଭାବରେ ଜଣାଶୁଣା ଜାଭେଲିନ ଥ୍ରୋ ତାରକା ନୀରଜ ଚୋପ୍ରାଙ୍କୁ ଏକ ବଡ଼ ସମ୍ମାନ ମିଳିଛି। ଦେଶ ପ୍ରତି ତାଙ୍କର ଅବଦାନ ପାଇଁ, ତାଙ୍କୁ ଟେରିଟୋରିଆଲ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ପ୍ରଦାନ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ ଦିଲ୍ଲୀରେ ନୀରଜଙ୍କୁ ଷ୍ଟାର ଲଗାଇବା ପରେ ଅଭିନନ୍ଦନ ଜଣାଇଥିଲେ। ପୂର୍ବରୁ, ସେ ଜଣେ ସୁବେଦାର ମେଜର ଥିଲେ। ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଏବଂ ପ୍ୟାରିସ୍‌ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ନୀରଜ ଚୋପ୍ରା ଗତ ନଅ ବର୍ଷ ଧରି ଭାରତୀୟ ସେନା ସହ ଜଡ଼ିତ ଅଛନ୍ତି।

ଭାରତୀୟ ସେନା ନୀରଜଙ୍କ କ୍ରୀଡ଼ା ସଫଳତା ପାଇଁ ୧୪ ମଇ ୨୦୨୫ ରେ ଟେରିଟୋରିଆଲ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ଉପାଧି ପ୍ରଦାନ କରିଥିଲା। ୨୦୧୬ରୁ ଭାରତୀୟ ସେନାରେ ଥିବା ନୀରଜ ଚଳିତ ବର୍ଷ ମେ’ ମାସରେ ସୁବେଦାର ମେଜର ପଦରୁ ଇସ୍ତଫା ଦେଇଥିଲେ। କାରଣ ରାଷ୍ଟ୍ରପତି ମେ’ ମାସରେ ନୀରଜଙ୍କୁ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ପ୍ରଦାନ କରିବା ପାଇଁ ଏକ ବିଜ୍ଞପ୍ତି ଜାରି କରିଥିଲେ ଏବଂ ସାମରିକ ନିୟମ ଅନୁଯାୟୀ ଏକକାଳୀନ ଦୁଇଟି ଭିନ୍ନ ପଦବୀ ରଖିବା ନିଷେଧ। ଏବେ ସେ ଏକ ନୂତନ ପଦବୀ ପାଇଛନ୍ତି। ଏହା ଉଲ୍ଲେଖନୀୟ ଯେ ଭାରତର କିମ୍ବଦନ୍ତୀ କ୍ରିକେଟର ମଧ୍ୟ ଟେରିଟୋରିଆଲ ସେନାରେ ଜଣେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ।

ନୀରଜ ଅଗଷ୍ଟ ୨୬, ୨୦୧୬ରେ ନାଏବ ସୁବେଦାର ଭାବରେ ସେନାରେ ଯୋଗ ଦେଇଥିଲେ। ଏହା ପରେ ତାଙ୍କର ଦୃଢ଼ ପ୍ରଦର୍ଶନ ଯୋଗୁ ତାଙ୍କୁ ୨୦୨୧ରେ ସୁବେଦାର ପଦବୀରେ ପଦୋନ୍ନତି ଦିଆଯାଇଥିଲା। ସେ ୨୦୨୨ରେ ସୁବେଦାର ମେଜର ହୋଇଥିଲେ। ଦିଲ୍ଲୀରେ ଅନୁଷ୍ଠିତ ଉତ୍ସବରେ ତାଙ୍କ ପିତା ସତୀଶ ଚୋପ୍ରା, ମାତା ସରୋଜ ଦେବୀ, ପତ୍ନୀ ହିମାନୀ ଏବଂ ଦାଦା ଭୀମ ଚୋପ୍ରା ଉପସ୍ଥିତ ଥିଲେ। ପୂର୍ବରୁ ନୀରଜଙ୍କୁ ତାଙ୍କ ଆଥଲେଟିକ୍ସ ସଫଳତା ପାଇଁ ଅର୍ଜୁନ ପୁରସ୍କାର ଏବଂ ଖେଳ ରତ୍ନ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି।

ନୀରଜ ଗତ ମାସରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ୍‌ରେ ଅଂଶଗ୍ରହଣ କରିଥିଲେ। ଏହି ଟୁର୍ନାମେଣ୍ଟରେ ତାଙ୍କର ପ୍ରଦର୍ଶନ ସେତେଟା ପ୍ରଭାବଶାଳୀ ନ ଥିଲା।

Share