ଭଞ୍ଜନଗର,୨୩।୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍ସିସି ଆର୍ମି ୱିଂଙ୍ଗ ଏବଂ ନାଭାଲ ୱିଂଙ୍ଗ ପକ୍ଷରୁ ରବିବାର ଏନ୍ସିସି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅଧକ୍ଷ ରାଜେନ୍ଦ୍ର କୁମାର ଦାସ ଏନ୍ସିସି ପତାକା ଉତ୍ତୋଳନ କରି ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହାପରେ ଏକ ସଭା ହୋଇଥିଲା। ଏଥିରେ ତନରଡ଼ା ଆଇ ଆର୍ବି ୮ ମ ସ୍ବତନ୍ତ୍ର ବାଟାଲିୟନ କମାଣ୍ଡିଙ୍ଗ ଅଫିସର୍ ସୁଧାକର ମିଶ୍ର ମୁଖ୍ୟ ଅତିଥି ଏବଂ ଡେପୁଟି କମାଣ୍ଡେଣ୍ଟ ଲଳିତ କୁମାର ବାଗ, ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର, ପୂର୍ବତନ ନାଭାଲ ଅଫିସର ଡ ରବୀନ୍ଦ୍ର କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏନ୍ସିସି କ୍ୟାଡେଟଙ୍କ ଭୂମିକା ଓ କର୍ତ୍ତବ୍ୟ ଉପରେ କହିଥିଲେ। କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ସଭାରେ ଅଧ୍ୟକ୍ଷତା କରି ଆମ କଲେଜର ଗର୍ବ ଏବଂ ଗୌରବ ହେଉଛନ୍ତି ଏନ୍ସିସି କ୍ୟାଡେଟମାନେ ବୋଲି କହିଥିଲେ। ସେନାବାହିନୀ ସମେତ ବିଭିନ୍ନ କ୍ଷେତ୍ରରେ ଆମର ଅନେକ କ୍ୟାଡେଟ ନିଯୁକ୍ତି ପାଉଛନ୍ତି। ରାଜ୍ୟ ଏବଂ ଜାତୀୟସ୍ତରର ଅନେକ କ୍ୟାମ୍ପରେ କ୍ୟାଡେଟମାନେ ଯୋଗଦେଇ ପୁରସ୍କୃତ ହେବାସହ କଲେଜ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।
ସେନାବାହିନୀରେ ଯୋଗଦେବା ପାଇଁ ଏନ୍ସିସି ହେଉଛି ପ୍ରମୁଖ ମାଧ୍ୟମ। କ୍ୟାଡେଟମାନଙ୍କ ଚରିତ୍ର ଭଲ ହେବାକୁ ପଡିବ, ସାହସ ଲୋଡ଼ା, ନେତୃତ୍ୱ ନେବାର ଦକ୍ଷତା ରହିବାକୁ ପଡିବ ବୋଲି ବକ୍ତାମାନେ କହିଥିଲେ। ଆର୍ମି ୱିଂଙ୍ଗ ସିଟିଓ ଅର୍ପଣ ପ୍ରଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ ନାଭାଲ ୱିଂଙ୍ଗ ସିଟିଓ ବିଭୂତି ଗୌଡ ଧନ୍ୟବାଦ ପ୍ରଦାନ କରିଥିଲେ। ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।
ସୂଚନାଯୋଗ୍ୟ ଯେ ୧୯୪୭ ମସିହାରେ ଦେଶ ସ୍ବାଧୀନତା ହେବା ପରେ ୧୯୪୮ ମସିହାରେ ଏନସିସି ପ୍ରତିଷ୍ଠା ହୋଇଥିଲା। ତେଣୁ ପ୍ରତିବର୍ଷ ନଭେମ୍ବର ମାସ ୪ର୍ଥ ରବିବାର ଏନସିସି ଦିବସ ପାଳନ ହେଉଛି। ଉକ୍ତ ଦିବସକୁ ମନେ ପକାଇବା ପାଇଁ କ୍ୟାଡେଟ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସହ ସଭା ହେଉଛି। ଏହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନସିସି ଆର୍ମି ୱିଂଙ୍ଗ ଏବଂ ନାଭାଲ ୱିଂଙ୍ଗ କ୍ୟାଡେଟଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା। ଗୁରୁବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ରଚନା, ନୃତ୍ୟ ପ୍ରମୁଖ ପ୍ରତିଯୋଗିତା ହୋଇଥିଲା। ଆଜି କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବରିଷ୍ଠ କିରାଣୀ ପ୍ରଦୀପ ଖଣ୍ଡୁଆଳ, ତପନ ବେହେରା,କର୍ମଚାରୀ ସୁଧିର ବିଷୋୟୀ, ପ୍ରସନ୍ନ ପ୍ରଧାନ, ସୁଚିତ୍ର ଜେନା ପ୍ରମୁଖ ସହଯୋଗ କରିଥିଲେ।