ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଶିବମନ୍ଦିର ପ୍ରାଙ୍ଗଣରେ ରହିଥିବା ପୋଖରୀରେ ପହଞ୍ଚିଥିଲେ। ସେଠାରେ ଇନ୍ଦ୍ରପୁଜା, ଗଙ୍ଗା ପୂଜା ଆଦି କରାଯାଇ ଶତାଧିକ ମହିଳା ମୁଣ୍ଡରେ ଜଳ କଳସ ଧରି ବିରାଟ ଶୋଭାଯାତ୍ରାରେ ବାହାରି ମା’ପାଟ୍ଟଖଣ୍ଡା ପୀଠରେ ପହଞ୍ଚିଥିଲେ।

ଏହି ସମୟରେ ଘଣ୍ଟଘଣ୍ଟା, ଢୋଲ, ମହୁରୀ ଶବ୍ଦରେ ଦାରିଙ୍ଗବାଡ଼ି ସହର କମ୍ପି ଉଠିଥିଲା। ଏହି ନବରାତ୍ର ପୂଜା ଆସନ୍ତା ୨୭ରେ ପୂର୍ଣ୍ଣାହୁତି ହେବ। ଉକ୍ତ ଦିନ ରାବଣ ପୋଡ଼ି କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ଦେଖିବାକୁ ରାଜ୍ୟର ବିଭିନ୍ନ ଜିଲାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily

Share