ନୂଆପଡ଼ା,୧ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳର ହେଭିୱେଟ ନେତା ପ୍ରଚାର ଜୋରଦାର କରିଛନ୍ତି। କିଏ ଘରକୁ ଘର ବୁଲି ତ କିଏ ସଭାସମିତି କରି ପ୍ରଚାର କରୁଛନ୍ତି। ମାତ୍ର ବିଜେଡି ଏକ ଅଭିନବ ଢଙ୍ଗରେ ପ୍ରଚାର ଆରମ୍ଭ କରଛି। ମହିଳାଙ୍କୁ ଆକୃଷ୍ଟ କରିବା ପାଇଁ ଭିଡିଓ କଲ୍ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମହିଳାଙ୍କ ସହ କଥା ହେଉଛନ୍ତି। ବିଜେଡି ନେତାମାନେ ବିଭିନ୍ନ ସଭାସମିତି ଓ ସମାବେଶରେ ନବୀନଙ୍କ ସହିତ ଭିଡିଓ କଲରେ କଥା କରୁଛନ୍ତି। ଦଳର ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ମହିଳାଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ନୂଆପଡ଼ା ଏନ୍ଏସିର ୱାର୍ଡ ନମ୍ବର ୬ଠାରେ ବିଜେଡି ପକ୍ଷରୁ ଏକ ମହିଳା ସମାବେଶ ହୋଇଥିଲା। ଏଥିରେ ପ୍ରାୟ ୨ ହଜାର ମହିଳାଙ୍କ ସମାଗମ ହୋଇଥିଲା। ସମାବେଶରେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ସମତେ ବିଜେଡିର ଅନ୍ୟ ନେତାମାନେ ମଧ୍ୟ ଯୋଗଦେଇଥିଲେ। ଦୀପାଳି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭିଡିଓ କଲ କରି ମହିଳାଙ୍କ ସହିତ କଥା କରାଇଥିଲେ। ସେହିପରି ଅନ୍ୟଏକ ସଭାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସ ବର୍ମା ମଧ୍ୟ ମହିଳାମାନଙ୍କୁ ନବୀନ ପଟ୍ଟନାୟକଙ୍କ ସହିତ ଭିଡିଓ କଲରେ କଥା କରାଇଥିଲେ।