ବରଗଡ଼,୧୭।୩(ପ୍ରେମାନନ୍ଦ ଖମାରୀ): ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) ଅନ୍ତର୍ଗତ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ଦ୍ୱିତୀୟ ମୂଲ୍ୟାଙ୍କନ ପରୀକ୍ଷା (ଏଫଏଲଏନଏଟି-୨) ରବିବାର ବରଗଡ଼ ଜିଲାର ବିଭିନ୍ନ ବିଦ୍ୟାଳୟ ଗୁଡ଼ିକରେ ଅନୁଷ୍ଠିତ ହୋଇଯାଇଛି। ଜିଲା ଶିକ୍ଷାଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ନିରୀକ୍ଷଣ ଏବଂ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ ତଥା ସମସ୍ତ ବ୍ଲକର ବିଇଓ ଓ ଏବିଇଓ, ସିଆର୍ସିସିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପରୀକ୍ଷାରେ ଜିଲାରେ ୨୫ହଜାର ୫୨୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପରୀକ୍ଷାର ସୁପରିଚାଳନା ପାଇଁ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଭୁଏଙ୍କ ସମେତ ଗୋଷ୍ଠୀ ଶିକ୍ଷାଧକାରୀ, ସହକାରୀ ଗୋଷ୍ଠୀ ଶିକ୍ଷାଧକାରୀ ଓ ସିଆର୍ସିସିମାନେ ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ। ୧୫ ବର୍ଷରୁ ଅଧିକ ବୟସ୍କ ନିରକ୍ଷର ବ୍ୟକ୍ତିଙ୍କୁ ସାକ୍ଷର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଚାଲିଛି। ଜିଲାରେ କାର୍ଯ୍ୟକ୍ରମକୁ ଫଳପ୍ରଦ କରିବା ଲକ୍ଷ୍ୟରେ ଜିଲାସ୍ତରୀୟ ଏବଂ ବ୍ଲକସ୍ତରୀୟ କର୍ମଶାଳା ପୂର୍ବରୁ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ଘର ଘର ବୁଲି ଶିକ୍ଷାର୍ଥୀମାନଙ୍କୁ ଚିହ୍ନଟ କରିଥିଲେ ଏବଂ ସଚ୍ଛୋସେବୀ ଶିକ୍ଷକମାନେ ସେମାନଙ୍କୁ ଶିକ୍ଷାଦାନ କରୁଥିଲେ। ୨୦୨୫-୨୬ ଶିକ୍ଷାବର୍ଷର ଦ୍ୱିତୀୟ ପର୍ଯ୍ୟାୟରେ ୨୬ହଜାର ୯୦୦ ଜଣ ଶିକ୍ଷାର୍ଥୀ ଏବଂ ୨,୬୦୦ ଜଣ ସଚ୍ଛୋସେବୀ ଶିକ୍ଷକ ପଞ୍ଜୀକୃତ ହୋଇଥିଲେ। ସ୍ବେଚ୍ଛାସେବୀ ଶିକ୍ଷକମାନେ ନିରକ୍ଷରଙ୍କୁ ପଢ଼ାଇବା ପରେ ରବିବାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ସମସ୍ତ ବ୍ଲକରେ ଏହି ପରୀକ୍ଷା ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା।