ନୂଆଦିଲ୍ଲୀ,୧।୧୨: ନୌସେନାର ଜଣେ ଅଫିସରଙ୍କ ସ୍ତ୍ରୀ ଆରତୀ ଯାଦବଙ୍କୁ ଚଳନ୍ତା ଟ୍ରେନ୍ରୁ ଠେଲିଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଗତ ୨୬ ତାରିଖରେ ଉତ୍ତରପ୍ରଦେଶର ସମ୍ହୋନ୍ ଏବଂ ଭର୍ଥନା ଷ୍ଟେଶନ ମଧ୍ୟବର୍ତ୍ତୀ ରେଳଲାଇନ୍ରୁ ୩୦ ବର୍ଷୀୟା ଆରତୀଙ୍କ ମୃତଦେହ ମିଳିଥିଲା। ସରକାରୀ ରେଲ୍ଓ୍ବେ ପୋଲିସ (ଜିଆର୍ପି) ସମ୍ପୃକ୍ତ ଟ୍ରେନ୍ ଟିକେଟ ଯାଞ୍ଚକାରୀ (ଟିଟିଇ) ସନ୍ତୋଷ କୁମାରଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଛି। ଏତଲା ଅନୁଯାୟୀ, ଆରତୀ କାନପୁର ସେଣ୍ଟ୍ରାଲରୁ ନୂଆଦିଲ୍ଲୀ ଯିବାକୁ ଥିବାବେଳେ ସେ ଭୁଲ୍ ଟ୍ରେନ୍ରେ ଚଢ଼ିଯାଇଥିଲେ। ତାଙ୍କର ବରାଉନି-ନୂଆଦିଲ୍ଲୀ କ୍ଲୋନ୍ ସ୍ପେଶାଲରେ ଯିବାକୁ ଥିବାବେଳେ ଉକ୍ତ ଟ୍ରେନ୍ ବିଳମ୍ବିତ ହେବାରୁ ସେ ପାଟନା-ଆନନ୍ଦବିହାର ଟର୍ମିନାଲ ଫେୟାର ସ୍ପେଶାଲରେ ଚଢ଼ିଥିଲେ। ଟିଟିଇ ସନ୍ତୋଷ ରିଜର୍ଭ ଟିକେଟକୁ ନେଇ ଆରତୀଙ୍କୁ ଗାଳିଦେବା ସହ ତାଙ୍କ ଲଗେଜ୍ ଫିଙ୍ଗିଦେଇଥିଲେ। ଏହାପରେ ସେ ଆରତୀଙ୍କୁ ଟ୍ରେନରୁ ଠେଲିଦେଇଥିଲେ ବୋଲି ଏତଲାରେ ଅଭିଯୋଗ ହୋଇଛି।
Dharitri – The Largest & Most Trusted Odia Daily