ବିକାଶର ଦୌଡ଼ରେ ଆମେ ପ୍ରାୟ ଭୁଲିଯାଉଛୁ ଯେ ନୀରବଥିବା ଏହି ପ୍ରକୃତି ଅସୀମ ନୁହେଁ। ଆମେ ଭାବୁଛୁ ପ୍ରକୃତିରେ ଯାହା କିଛି ନଷ୍ଟ ହେଉଛି, ସେସବୁ ଧୀରେ ଧୀରେ ପୁଣି ଥରେ ଫେରିଆସିବ। କିନ୍ତୁ ଏହି ଭାବନା ହିଁ ସବୁଠାରୁ ବଡ଼ ଭ୍ରମ। ପ୍ରକୃତି କୌଣସି ପୁନର୍ନବୀକରଣୀୟ ସାଧନ ନୁହେଁ, ଯାହାକୁ ଆମେ ବାରମ୍ବାର ଅବହେଳା କରିବା ଏବଂ ଆଶା ରଖିବା ଯେ ସେ ଆମକୁ କ୍ଷମା କରିଦେବ ! ବଣଜଙ୍ଗଲ, ଗଛଲତା କାଟି ଦେଲେ ପୁଣି ନୂତନ ଜଙ୍ଗଲ ସୃଷ୍ଟି କରାଯାଇପାରିବ, ନଦୀ ଦୂଷିତ ହେଲେ ବର୍ଷା ଦ୍ୱାରା ଶୁଦ୍ଧ ହୋଇଯିବ, ପାହାଡ଼, ଖଣି ଭାଙ୍ଗିଲେ ପ୍ରକୃତି ପ୍ରତିକ୍ରିୟାହୀନ ହେବେ ; ଏମିତି ଅନେକ ଧାରଣା ଆମକୁ ଚିନ୍ତାମୁକ୍ତ କରିଦେଇଛି। ମାତ୍ର ପ୍ରକୃତ ସତ ଯେତେବେଳେ ଆମ ଆଗକୁ ଆସିବ ଆଉ କିଛି କରିବାକୁ ନ ଥିବ; ଯାହାର ଆରମ୍ଭ ସ୍ବରୂପ ଆଜି ଦେଖାଯାଉଛି ଜଳବାୟୁ ପରିବର୍ତ୍ତନ, ଅତ୍ୟଧିକ ଉତ୍ତାପ, ଅନିୟମିତ ବର୍ଷା, ବନ୍ୟା, ସୁନାମି, ଭୂମିକମ୍ପ, ଭୂସ୍ଖଳନ ଆଦି ଅନେକ ବିପର୍ଯ୍ୟୟ। ଏସବୁ ପ୍ରତିକ୍ରିୟା ଦେଖାଇ ପ୍ରକୃତି ପ୍ରତିଶୋଧ ନେଉନାହିଁ, ସେ କେବଳ ଆମ କଲା କର୍ମର ଉତ୍ତର ଫେରାଉଛି ବୋଲି ବୁଝିବାର ସମୟ ଆସିଯାଇଛି।
କିଛି ଉଦାହରଣ ଦେଇ ଏହାକୁ ସ୍ପଷ୍ଟ କରାଯାଇପାରେ; ଯେପରିକି କ୍ରମେ ହ୍ରାସ ପାଉଥିବା ଆମାଜନ୍ ଜଙ୍ଗଲ ଯୋଗୁ ସମଗ୍ର ପୃଥିବୀର ଜଳବାୟୁରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଘଟିଛି। ଆମାଜନ୍ ଜଙ୍ଗଲକୁ ‘ପୃଥିବୀର ଫୁସ୍ଫୁସ୍’ ବୋଲି କୁହାଯାଏ, କାରଣ ଏହା ବିପୁଳ ପରିମାଣରେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଶୋଷଣ କରେ। ଆମାଜନ୍ର ଘଞ୍ଚ ଯୋଗୁ ଏହା ‘ରେନ୍ ଫ୍ୟାକ୍ଟ୍ରି’ ଭଳି ମଧ୍ୟ କାମ କରେ। ଏହା ହ୍ରାସ ହେଲେ କାର୍ବନ ପରିମାଣ ବୃଦ୍ଧିପାଇବା ଯୋଗୁ ବାୟୁମଣ୍ଡଳର ଉଷ୍ମତା ବଢ଼ୁଛି। ଅନିୟମିତ ବର୍ଷା ଯୋଗୁ କେତେବେଳେ ଜଳ ସଙ୍କଟ ତ କେତେବେଳେ ବନ୍ୟା ସମସ୍ୟା ଦେଖାଯାଉଛି। ଜଙ୍ଗଲରେ ବସବାସ କରୁଥିବା ପଶୁପକ୍ଷୀ, କୀଟପତଙ୍ଗ ଏବଂ ଆଦିବାସୀ ସମ୍ପ୍ରଦାୟ କ୍ଷତିଗ୍ରସ୍ତ ହେଉଛନ୍ତି। ପରିବେଶବିତ୍ମାନେ ସତର୍କ କରିଛନ୍ତି, ଆମାଜନ ଜଙ୍ଗଲ ଯଦି ଏକ ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ନଷ୍ଟ ହୁଏ ତେବେ ତାହା ଜଙ୍ଗଲରୁ ଶୁଷ୍କ ଘାସଭୂମିରେ ପରିଣତ ହେବା ସମ୍ଭାବନା ରହିଛି, ଯାହା ପୃଥିବୀ ପାଇଁ ଭୟାବହ ପରିସ୍ଥିତି ସୃଷ୍ଟିକରିବ। ଜଳବାୟୁ ପରିବର୍ତ୍ତନ ଓ ବର୍ଷାର ଅନିୟମିତତା କୃଷିରେ ଉତ୍ପାଦନ ହ୍ରାସ କରିବ, ଖାଦ୍ୟ ଦରବୃଦ୍ଧି ଏବଂ ଦୁର୍ଭିକ୍ଷର ଆଶଙ୍କା ବୃଦ୍ଧିକରିବ।
ସେହିପରି ଓଡ଼ିଶାର ଚିଲିକା ହ୍ରଦକୁ ମଧ୍ୟ ଏକ ସଜୀବ ଉଦାହରଣ ରୂପେ ନିଆଯାଇପାରେ। କିଛି ଦଶକ ପୂର୍ବେ ଚିଲିକା ହ୍ରଦ ଥିଲା ଏକ ସମୃଦ୍ଧ ପ୍ରାକୃତିକ ପରିବେଶ। ଦେଶ ବିଦେଶର ପକ୍ଷୀ, ମତ୍ସ୍ୟଜୀବୀଙ୍କ ଜୀବିକା ଓ ଜଳଜ ସମ୍ପଦରେ ଭରପୂର ଏହି ହ୍ରଦ ଓଡ଼ିଶାର ଗର୍ବ ଥିଲା। କିନ୍ତୁ ଅତ୍ୟଧିକ ମାଛଧରା, ଅବୈଧ ଘେରିବାଡ଼, ଶିଳ୍ପଜ ଆବର୍ଜନା ଓ ପର୍ଯ୍ୟଟନର ଅନିୟନ୍ତ୍ରିତ ଚାପ ଚିଲିକାକୁ ଧୀରେ ଧୀରେ ରୋଗାକ୍ରାନ୍ତ କରିଦେଲା। ପ୍ରକୃତିକୁ ନିଜ ସ୍ବାର୍ଥ ସାଧନ ପାଇଁ ବ୍ୟବହାର କରିବା ଫଳରେ ହ୍ରଦଜଳର ଗୁଣ ନଷ୍ଟହେଲା, ମାଛ ସଂଖ୍ୟା ହ୍ରାସ ପାଇଲା, ପକ୍ଷୀମାନେ ଦୂରେଇଗଲେ।
ଏହି ସମୟରେ ଓଡ଼ିଶାର ବୁଦ୍ଧିଜୀବୀ ଏବଂ ଶୁଭାକାଂକ୍ଷୀମାନେ ଅନୁଭବକଲେ ଯେ ଚିଲିକାକୁ ସୁରକ୍ଷାର ଆବଶ୍ୟକତା ରହିଛି। ସରକାର, ପରିବେଶବିତ୍ ଓ ସ୍ଥାନୀୟ ଲୋକଙ୍କ ସାମୂହିକ ପ୍ରୟାସରେ ଚିଲିକାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେଲା। ମୁଖ୍ୟ ନଦୀ ମୁଖ ଖୋଲାଗଲା, ଅବୈଧ ଘେରିବାଡ଼ ହଟାଗଲା, ମାଛଧରାରେ ନିୟମ ଆସିଲା। ଫଳସ୍ବରୂପ ଆଜି ଚିଲିକା ପୁନର୍ବାର ଜୀବନ୍ତ ହୋଇଉଠିଛି, ପକ୍ଷୀ ଫେରିଛନ୍ତି, ମତ୍ସ୍ୟଜୀବୀଙ୍କ ମୁହଁରେ ହସ ଫୁଟିଛି। ସମୟ ଥାଇ ଚିଲିକା ପାଇଁ ଏହି ପଦକ୍ଷେପ ଆମକୁ ଶିଖାଏ ଯେ, ପ୍ରକୃତି ସହ ସମନ୍ବୟ ରଖିଲେ ହିଁ ମନୁଷ୍ୟର ଭବିଷ୍ୟତ ସୁରକ୍ଷିତ। ଜଙ୍ଗଲ କାଟି, ନଦୀକୁ ଦୂଷିତକରି , ପାହାଡ଼ ଭାଙ୍ଗି ଆମେ କିଛି ସମୟ ପାଇଁ ଲାଭାନ୍ବିତ ହୋଇପାରୁ, କିନ୍ତୁ ଭବିଷ୍ୟତରେ ଏହା ଆମ ଅସ୍ତିତ୍ୱକୁ ନଷ୍ଟକରେ।
ଆମେ ଅନେକ ସମୟରେ ଯୁକ୍ତି ବାଢୁ ଏବଂ ନିଜ ମନକୁ ଏହା କହି ବୁଝାଇଦେଉ ଯେ, ଏକୁଟିଆ ଜଣେ ମଣିଷ କ’ଣ ପରିବର୍ତ୍ତନ ଆଣିପାରିବ? ଏହି ପ୍ରଶ୍ନ ହିଁ ଅସାବଧାନତାର ସର୍ବଶ୍ରେଷ୍ଠ ନିଦର୍ଶନ। ଗୋଟିଏ ଗଛ, ଛୋଟ ଏକ ଜଳବିନ୍ଦୁ, ଗୋଟିଏ ପ୍ଲାଷ୍ଟିକ୍ ବ୍ୟାଗ୍ ଏସବୁର ସମାହାରରେ ହିଁ ତ ଆଗାମୀ ପୃଥିବୀର ଭବିଷ୍ୟତ ଗଢ଼ିହୁଏ। ଏଣୁ ଜଣେ ଜଣେ ଚାହିଁଲେ ହିଁ ବିରାଟ ପରିବର୍ତ୍ତନ ସମ୍ଭବ ହୋଇପାରିବ। ପ୍ରକୃତି ସହ ଆମ ସମ୍ପର୍କ ମାଲିକାନାର ନୁହେଁ, ସହାବସ୍ଥାନର ହେବା ଉଚିତ। ଆମେ ଯେମିତି ଚାହିଁଲେ ସେମିତି ଏହାକୁ ବ୍ୟବହାର କରିପାରିବା ନାହିଁ! ଭୁଲ୍ ପରେ ଭୁଲ୍ କରି ପ୍ରକୃତିକୁ କ୍ଷମା ମାଗିବାର ସୌଜନ୍ୟ, ପ୍ରତାରଣା ବ୍ୟତୀତ ଆଉ କିଛି ନ ହୋଇପାରେ!
ଆସନ୍ତାକାଲି ଅନୁତାପ ନ କରି ଆଜିଠାରୁ ଚିନ୍ତାଧାରାରେ ପରିବର୍ତ୍ତନ, ଆଚରଣରେ ସଂଶୋଧନ ଓ ଦାୟିତ୍ୱବୋଧ ସହ ଦୂରଦୃଷ୍ଟି ରଖିଲେ ହିଁ କିଛି ଉପକାର ମିଳିପାରିବ ବୋଲି ଆଶା କରାଯାଇପାରେ। ବୁଝିବାକୁ ହେବ ଯେ ପ୍ରକୃତିକୁ ରକ୍ଷାକରି ଆମେ କିଛି ଉପକାର କରୁନାହୁଁ, ବରଂ ଏହାର ସୁରକ୍ଷା ଆମର ଦାୟିତ୍ୱ ବୋଲି ଭାବିନେବା ଉଚିତ।
ଶେଷକଥା ହେଉଛି ପ୍ରକୃତି ପୁନର୍ନବୀକରଣୀୟ ନୁହେଁ, ଏହା ଏକ ଏଭଳି ସାଧନ ଯାହାକୁ ଠିକ୍ ଭାବରେ ବ୍ୟବହାର ନ କଲେ ଆମର ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲିହୋଇଯିବ। ପ୍ରକୃତି ଅଛି, ତେଣୁ ଆମେ ଅଛୁ। ଏହା ଏକ ସଜୀବ ବ୍ୟବସ୍ଥା, ଯାହାକୁ ସମ୍ମାନ ଓ ସଂଯମ ସହ ବ୍ୟବହାର କରିବା ଆବଶ୍ୟକ। ଏହାକୁ ଅସୀମ ଭାବି ଅବହେଳାକଲେ ଆସନ୍ତା ପିଢ଼ି ପାଇଁ କେବଳ ଅଭାବ ଓ ଅନୁତାପ ଛାଡ଼ିଯିବା ହିଁ ସାର ହେବ।
ଶ୍ରୁତକୀର୍ତ୍ତି ତ୍ରିପାଠୀ
ଭୁବନେଶ୍ୱର
ମୋ: ୬୩୭୦୫୧୬୪୭୮